ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କଲା କେନ୍ଦ୍ର । କଟକଣା କୋହଳ ହେଲେ ବି କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ।

161

କନକ ବ୍ୟୁରୋ: କରୋନା ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟକ୍ରମେ ଲକଡାଉନ କଟକଣାକୁ କୋହଳ କରୁଛନ୍ତି ବିଭିନ୍ନ ରାଜ୍ୟ । ହେଲେ ଏହି ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟମାନଙ୍କୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଅନଲକ ପକ୍ରିୟା ଆରମ୍ଭ ହେବା ପରେ ଲୋକମାନେ ଯେମିତି କୋଭିଡ କଟକଣାକୁ ସଠିକ୍ ଭାବେ ପାଳନ କରିବେ, ତା ଉପରେ ସତର୍କ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛି କେନ୍ଦ୍ର । କଟକଣା କୋହଳ ହେବା ପରେ ବଜାର ଓ ଅନ୍ୟ ସ୍ଥାନମାନଙ୍କରେ ଲୋକ ଗହଳି ହେବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ଲକଡାଉନ କୋହଳ କରୁଥିବା ରାଜ୍ୟମାନେ କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବା ସହ ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦେବାକୁ କହିଛି କେନ୍ଦ୍ର ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କ ସହ ଆଲୋଚନାବେଳେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା  କହିଛନ୍ତି ବର୍ତମାନ ପରିସ୍ଥିତିରେ କୋଭିଡ୍-୧୯ ବିରୋଧରେ ଟିକାକରଣ କରି ସଂକ୍ରମଣ ଚେନକୁ ଭାଙ୍ଗିବା କଷ୍ଟକର । ତେବେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ କିଭଳି ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଦ୍ୱିତୀୟ ଲହରରେ କରୋନା ଭୟାବହ ରୂପ ଧାରଣ କରିବା ପରେ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଦେଶର ବିଭିନ୍ନ ରାଜ୍ୟ ଲକଡାଉନ ଭଳି କଟକଣା ଲାଗୁ କରିଥିଲେ । କିନ୍ତୁ ସଂକ୍ରମଣ କମିବା ପରେ ରାଜ୍ୟମାନେ ଧିରେ ଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୁଣି ଥରେ ଯେମିତି କୌଣସି ଭୁଲ ନହୁଏ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମିତ କୋଭିଡ୍ ସ୍ଥିତିର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି ଭାଲା ।