ଚା ବିକିଲେ ଚଳୁଛି ମୁଁ… ଜୀବନ ଯନ୍ତ୍ରଣାର ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ବୁଢୀ ମାଉସୀ । ସ୍ୱାମୀ ନାହାନ୍ତି, କିନ୍ତୁ ସେ ହାରି ନାହାନ୍ତି । ବୁଢୀ ମାଉସୀ କାହାଣୀ, ବଡଠୁ ଛୋଟ ସମସ୍ତଙ୍କ ପାଇଁ ଉଦାହରଣ ।

256

କନକ ବ୍ୟୁରୋ : ପରଟା ବିକିଲେ ପେଟ ପୂରିବ, ଚା’ ବିକିଲେ ପରିବାର ଚଳିବ । ରାସ୍ତାକଡରେ ପରଟା ଆଉ ଚା ବିକ୍ରି କରୁଥିବା ଏହି ବୁଢୀ ମା’ଙ୍କ କାହାଣୀ ଆପଣଙ୍କ ଆଖିକୁ ବି ଓଦା କରିଦେବ । ବୟସ ୭୦ ଛୁଇଁଲାଣି…ନା ଆଖିକୁ ଭଲସେ ଦେଖାଯାଉଛି, ନା ଅଂଟା ସଳଖି ଠିକସେ ଛିଡା ହୋଇପାରୁଛନ୍ତି । ବୟସର ଅପରାହ୍ନରେ ଜୀବନଜୀବିକା ପାଇଁ ସେ ସଂଘର୍ଷ କରିଚାଲିଛନ୍ତି । ଏହି ବୁଢୀ ମା’ଟିର ଘର ହେଉଛି ପଞ୍ଜାବର ଜଳନ୍ଧରଠାରେ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ, ଜୀବନ ଜିଇଁବାକୁ ସେ ଏମିତି ସଂଘର୍ଷ କରୁଛନ୍ତି । ନା ଦୁଃଖ ଶୁଣିବାକୁ ପାଖରେ କେହି ଅଛନ୍ତି, ନା କେହି ସାହାଯ୍ୟର ହାତ ବଢାଇଛନ୍ତି ।

ରାତି ପାହୁ ପାହୁ ରାସ୍ତାକଡରେ ସୁଆଦିଆ ପରଟା ଆଉ ଚାହା ବିକ୍ରିକରନ୍ତି ଏହି ବୁଢୀ ମା’ । ତେବେ ଏହି ଭିଡିଓଟିି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୭୦ ବର୍ଷୀୟ ଏହି ବୃଦ୍ଧ ମହିଳାଙ୍କ ପାଇଁ ଲୋକଙ୍କ ହୃଦୟ ଭାବୁକ ହୋଇଉଠିଛି । ଏପରିକି କିଛି ଅଭିନେତା, ଏବଂ ସିଙ୍ଗର ଏହି ଭିଡିଓକୁ ସେୟାର କରିବା ସହ ଏହି ବୁଢୀମାଙ୍କ ଦୋକାନକୁ ଯାଇ ଚା ପରଟା ଖାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଏହା ପୂର୍ବରୁ ଦିଲ୍ଲୀର ମାଲବୀୟନଗର ସ୍ଥିତ ‘ବାବା କି ଢାବା’ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଏହି ଢାବାକୁ ଚଳାଉଥିବା ବୃଦ୍ଧ ଦମ୍ପତି କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଆଉ ତାଙ୍କ ଢାବାକୁ କେହି ଲୋକ ଆସୁନଥିବା କୋହଭରା କଣ୍ଠରେ କହିଥିଲେ ଏହି ଦମ୍ପତି । ତେବେ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ବାବା କି ଢାବାରେ ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା ।