ପ୍ରାଣପ୍ରତିଷ୍ଠାରେ ଉତ୍ସବମୁଖର ଅଯୋଧ୍ୟା । ସାମିଲ ହେଲେ ବଲିଉଡ଼ କଳାକାର

159

କନକ ବ୍ୟୁରୋ : ସୋମବାର ଅଯୋଧ୍ୟ।। ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ,ଅଲୌକିକ, ଅଦଭୁତ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଅନ୍ୟପଟେ ନିମନ୍ତ୍ରିତ ବଲିଉଡ କଳାକାର ମଧ୍ୟ ସୋମବାର ସକାଳୁ ସକାଳୁ ଅଯୋଧ୍ୟାରେ ପହଁଚିଥିଲେ । ପାରମ୍ପରିକ ବେଶଭୁଷାରେ ଏମାନଙ୍କୁ ଦେଖିବାକୁ ମିଳିଛି । ରଜନୀକାନ୍ତ, ବିଗ ଅମିତାଭ ବଚ୍ଚନ, ଅଭିଶେକ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ଭିକି କୌଶଲ, କଙ୍ଗନା ରାଣାୱତ, ମାଧୁରୀ ଦିକ୍ଷିତ ନେନେ,ଅନୁପମ ଖେର, ଜ୍ୟାକି ଶ୍ରଫ୍ଙ୍କ ପରି ଅନେକ ଜଣାଶୁଣା ବଲିଉଡ କଳାକାର ରାମମନ୍ଦିରରେ ପହଁଚି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ସାମିଲ ହେବାକୁ ମୌକା ମିଳିଥିବାରୁ ନିଜକୁ ଭାଗ୍ୟାଶାଳୀ ମନେ କରିଛନ୍ତି କଳାକାର

ଅଯୋଧ୍ୟା ରାମ ଦରବାରକୁ ଅଧିକ ମନ୍ତ୍ରମୁଗ୍ଧ କରିଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଶ୍ରୁତି ମଧୁର ଗୀତ । ପ୍ରଭୁଙ୍କ ଆଗମନରେ କଣ୍ଠଶିଳ୍ପୀ ଗାଇଥିବା ଗୀତ ମନ୍ଦିର ପରିସରରେ ଅଧିକ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି କରିଥିଲା । ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ, ଶଙ୍କର ମହାଦେବନ, ସୋନୁ ନିଗମ, କୈଳାସ ଖେରଙ୍କ ସମେତ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟ ଭଜନ ପରିବେଷଣ କରିଥିଲେ । ଏପରିକି କିଛି କଳାକାର ବେଶ ଭାବବିହ୍ୱଳ ହୋଇପଡିଥିଲେ ।

ବଲିଉଡ କଣ୍ଠଶିଳ୍ପୀଙ୍କ ସମେତ ବିଭିନ୍ନ ରାଜ୍ୟରୁ ନିମନ୍ତ୍ରିତ ଅନେକ ଲୋକପ୍ରିୟ କଣ୍ଠଶିଳ୍ପୀ ମଧ୍ୟ ରାମ ଦରବାରରେ ଭଜନ ପରିବେଶଷ କରିଥିଲେ । ଉତରପ୍ରଦେଶ, ମହାରାଷ୍ଟ ଓ ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟର କଣ୍ଠଶିଳ୍ପୀଙ୍କ ଗୀତ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।