କରୋନା ନେଇ ସଲମାନ ଖାନଙ୍କ ଭିଡିଓ ମେସେଜ । ରାଜ୍ୟ ସରକରାଙ୍କ ପଦକ୍ଷେପକୁ ମାନିବାକୁ କଲେ ଅନୁରୋଧ । ବିରାଟ, ଅନୁଷ୍କା ଶର୍ମା, ଅକ୍ଷୟ ଓ ଗାଙ୍ଗୁଲିଙ୍କ ଭିଡିଓ ମେସେଜ, ଘରକୁ ନ ବାହାରିବାକୁ ଦେଲେ ପରାମର୍ଶ ।

979

କନକ ବ୍ୟୁରୋ: କରୋନା ଭୂ୍ତାଣୁ ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ସାରା ଦେଶ ଲକ୍ ଡାଉନ୍ ହୋଇଛି । ୨୧ଦିନ ପର୍ଯ୍ୟନ୍ତ କେହି ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ଏହାରି ଭିତରେ ଫିଲ୍ମ ଓ ଖେଳ ଜଗତର ତାରକା ମାନେ ଏହି ଲକ୍ ଡାଉନ୍କୁ ମାନିବା ପାଇଁ ପରାମର୍ଶ ଦେଇଛନ୍ତି ।

କରୋନା ବିରୋଧରେ ଲଢେଇ କରୁଛି ସାରା ବିଶ୍ୱ । ଏହି ସମୟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ କରୋନାର ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଭିଡିଓ ମେସେଜ ଦେଇଛନ୍ତି । ଏଥିରେ ସେ ଓଡିଶା ସରକାର ନେଇଥିବା ପଦକ୍ଷେପକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ନିଜକୁ ସୁରକ୍ଷିତ ରଖିବାକୁ ଭିଡିଓ ମେସେଜରେ ବାର୍ତା ଦେଇଛନ୍ତି ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶବାସୀଙ୍କୁ ୨୧ ଦିନ ଘରେ ରହି ଲକଡାଉନରେ ସହଯୋଗ କରିବାକୁ ଅପିଲ କରିଛନ୍ତି । କହିଛନ୍ତି, ଘରେ ରହି ନିଜେ ସୁରକ୍ଷିତ ରହନ୍ତୁ, ପରିବାରକୁ ସୁରକ୍ଷିତ ରଖନ୍ତୁ ଓ ଦେଶକୁ ମଧ୍ୟ ସୁରକ୍ଷିତ ରଖନ୍ତୁ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦେଶବାସୀଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ଘରେ ରହି ସଚେତନତା ହେଲେ କରୋନା ଭୂତାଣୁ ସଂକ୍ରମଣକୁ ଏଡାଇ ହେବ ବୋଲି କହିଛନ୍ତି ଏହି ପୂର୍ବତନ ଅଧିନାୟକ । ସାରା ଦେଶ ଲକ୍ ଡାଉନ ହୋଇଥିବା ବେଳେ ଏହି ସମୟରେ ଘରୁ ବାହାରନ୍ତୁ ନାହିଁ ବୋଲି ଅକ୍ଷୟ କୁମାର ଆବେଦନ କରିଛନ୍ତି ।