କନକ ବ୍ୟୁରୋ: ବାହାରିନର ରାଜଧାନୀ ମାନମାଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଙ୍ଗଠନ "ବାହାରିନ ଓଡ଼ିଆ ସମାଜ", ୮୯ତମ ଉତ୍କଳ ଦିବସ ଧୁମଧାମରେ ପାଳନ କରିଛନ୍ତି। ଏଥିରେ ୧୦୦ ଓଡିଆ ପରିବାର ସମେତ ୩୦୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ। ବାହାରିନରେ ଥିବା ଭାରତୀୟ ଦୂତାବାସ ଆମ୍ବାସଡର୍ ବିନୋଦ ଜାକବ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ, ଓଡିଶାର ଖ୍ୟାତନାମା ଦଶଭୁଜା ଗୋଟିପୁଅ ଓଡିଶୀ ନୃତ୍ୟ, ଓଲିଉଡର ଆଗ ଧାଡ଼ିର ନାୟିକା ଭୂମିକା ଦାସ୍, ଅଭିନେତା ଦୀପକ କୁମାର, ଗାୟିକା ଜାଗୃତି ମିଶ୍ର ଓ ସାମ୍ବାଦିକ ମନୋଜ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସାଂସ୍କୃତିକ ସମ୍ପାଦିକା ପ୍ରିୟମ୍ବଦା ସାହୁଙ୍କ ଅଧ୍ୟକ୍ଷତାରେ କୋରାପୁଟ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ କମେଡି, ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବାହାରିନ ଓଡ଼ିଆ ସମାଜର ଅଧକ୍ଷ ବିଷ୍ଣୁ ପ୍ରସାଦ ମହାନ୍ତିଙ୍କ ସ୍ବାଗତ ଭାଷଣ ପରେ, ଆରବ ଦେଶର ବିଶିଷ୍ଟ ଓଡ଼ିଆ ଶିଳ୍ପପତି ଦେବ ଲୋକନାଥ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସଂସ୍କୃତି,ଐତିହ୍ୟ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ । ସଙ୍ଗଠନରର କୋଷାଧକ୍ଷ ଶିବାଶିଷ ମହାନ୍ତି, କ୍ରୀଡା ସମ୍ପାଦକ ଲକ୍ଷ୍ମୀକାନ୍ତ ନନ୍ଦଙ୍କ ମୁଖରୁ "ଆମେ ଓଡ଼ିଆ ଆମ ଭାଷା ବଢିଆ"ର ସ୍ଲୋଗାନ ସହ,ଦୀପ ପ୍ରଜ୍ୱଳନ କରି, ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀଙ୍କ ସ୍ମୃତି ଚାରଣ କରାଯାଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସାଧାରଣ ସମ୍ପାଦକ ସୌମ୍ୟଦର୍ଶି ଦାସଙ୍କ ଅଧ୍ୟକ୍ଷତାରେ ଓଡିଶାର ପ୍ରସିଦ୍ଧ ସଂଗୀତ "ଆମ ଜାତି ଓଡ଼ିଆ- ଆମ ମାଟି ଓଡ଼ିଆ " କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ଏଥିସହିତ ଅନ୍ୟ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଭିନେତ୍ରୀ ଭୂମିକା, ଅଭିନେତା ଦୀପକ ଓ ଗାୟିକା ଜାଗୃତିଙ୍କ ନୃତ୍ୟ ଓ ଗୀତରେ ଦର୍ଶକେ ଝୁମିଥିଲେ । ଏଥିସହିତ ଦଶଭୁଜ ଗୋଟିପୁଅ ନୃତ୍ୟ ପରିଷଦର ମୁଖ୍ୟ ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରୁ ଆସିଥିବା ବହୁତ କଳାକାର ନିଜର ସୁନ୍ଦର ନୃତ୍ୟ ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କ ମନ ଜିଣି ଥିଲେ।

ଅନୁଷ୍ଠାନର ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସଫଳତାର ତୁଲାଇବା ପାଇଁ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ନୃତ୍ୟ,ଗୀତର ତାଳେ ତାଳେ ଝୁମିବା ସହ କମେଡି ନାଟକର ମଜା ଉଠାଇଥିଲେ । ଏଥି ସହିତ ସମସ୍ତ ପରିବାର ଓଡ଼ିଆ ଭାଇ ଚାରାର ମନଭାବ ରଖି ଓଡ଼ିଆ ଖାଦ୍ୟ ଖାଇ ଖୁସି ମନାଇଥିଲେ। ସର୍ବ ଶେଷରେ ସଂଗଠନର ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ସ୍ବାଇଁ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।