ପୌର ନିର୍ବାଚନରେ ବିଜୟ ବାନା ଉଡାଇଲା ବିଜେଡି । ଆରମ୍ଭ ହେଲା ସେଲିବ୍ରେସନ, ନବୀନ ନିବାସ ସାମ୍ନାରେ ଜନସମୁଦ୍ର ।

204

କନକ ବ୍ୟୁରୋ : ପୌର ନିର୍ବାଚନରେ ବାଜିମାତ୍ କରିଛି ବିଜେଡି । ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ବିରୋଧୀଙ୍କୁ ମାତ୍ ଦେଇ ବିଜୟବାନା ଉଡାଇଛି ବିଜେଡି । ପୁଣିଥରେ ବିଜେଡିକୁ ଭରସିଛନ୍ତି ସହରବାସୀ । ୧୦୫ ପୌର ଓ ଏନଏସି ଅଧ୍ୟକ୍ଷ ପାଇଁ ଭୋଟ ଗଣତି ହୋଇଥିବା ବେଳେ ୭୩ଟି ଆସନରେ ବିଜେଡି ବିଜୟୀ ହୋଇଛି । ଆଉ ଦଳର ଏହି ବୃହତ ବିଜୟ ପରେ ଆରମ୍ଭ ହୋଇଛି ବିଜୟ ଉତ୍ସବ । ବିଜୟୀ ନେତା ଓ କର୍ମୀ ଏବେ ନବୀନ ନିବାସ ମୁହାଁ ହୋଇଛନ୍ତି । ବାଣ ଫୁଟାଇ, ବାଜା ବଜାଇ ବିଜୟୀ ପ୍ରାର୍ଥୀ ନବୀନ ନିବାସ ସାମ୍ନାରେ ବିଜୟ ଉତ୍ସବ ପାଳିଛନ୍ତି ।

ନବୀନ ନିବାସ ସାମ୍ନାରେ ନାଚଗୀତରେ ଖୁସି ମନାଇଛନ୍ତି ଦଳୀୟ ନେତା ଓ କର୍ମୀ । ନବୀନ ନିବାସ ସାମ୍ନା ଜନସମୁଦ୍ର ପାଲଟିଥିବା ବେଳେ ବିଭିନ୍ନ ଜିଲ୍ଳାରେ ମଧ୍ୟ ବିଜେଡି କର୍ମୀଙ୍କ ସେଲିବ୍ରେସନର ଚିତ୍ର ଏବେ ସାମ୍ନାକୁ ଆସିଛି । ଅନ୍ୟପଟେ ଏହି ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କ ସମେତ ବିଜେଡିକୁ ସମର୍ଥନ ଦେଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଛନ୍ତି, ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି। ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।