ସିଏଏ ଲାଗୁ ହେବା ପରେ ରିଫ୍ୟୁଜି କ୍ୟାମ୍ପରେ ଉତ୍ସବର ମାହୋଲ । ପଡୋଶୀ ଦେଶର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।

159

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ସିଏଏ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । କାଲିିଠାରୁ ଲାଗୁ ହୋଇଛି ସିଏଏ ବା ନାଗରିକତା ସେଂଶୋଧନ ଆଇନ । ଏହି ଆଇନ ଲାଗୁ ହେଲେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁୁ ଭାରତର ନାଗରିକ ହୋଇପାରିବେ । ତେବେ ଏହି ଘୋଷଣା ପରେ ଭାରତରେ ଥିବା ପଡ଼ୋଶୀ ଦେଶର ଶରଣାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି ।
ଦିଲ୍ଲୀରେ ଥିବା ଏକ ଶରଣାର୍ଥୀ ଶିବିରରେ ଥିବା ଶରଣାର୍ଥୀ ଖୁସି ମନାଉଛନ୍ତି । କାରଣ ସିଏଏ ଲାଗୁ ହେବା ପରେ ଏବେ ସେମାନଙ୍କୁ ଭାରତର ନାଗରିକତା ମିଳିବ, ଆଉ ଶରଣାର୍ଥୀ ଭାବେ ଜୀବନ ବଞ୍ଚିବାକୁ ପଡ଼ିବନି । ଭାରତୀୟ ନାଗରିକତା ମିଳିବା ପରେ ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳିବ । ସିଏଏ ଲାଗୁ ନେଇ ସୋମବାର ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ଆଇନ୍ ଆଧାରରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ଭାରତୀୟ ନାଗରିକତା । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ୬ ସଂଖ୍ୟାଲଘୁ ହୋଇପାରିବେ ଭାରତୀୟ ନାଗରିକ ।
ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ମିଳିବ ନାଗରିକତା । ଏଥିପାଇଁ ସିଏଏ ସମ୍ବନ୍ଧିତ ଏକ ୱେବ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ସରକାରୀ ଯାଞ୍ଚ ପରେ ସେମାନଙ୍କୁ ଆଇନ୍ ଅନୁସାରେ ନାଗରିକତା ପ୍ରଦାନ କରାଯିବ । ୨୦୧୯, ଡିସେମ୍ବର ୧୧ ତାରିଖରେ ସଂସଦରେ ପାରିତ ହୋଇଥିଲା ସିଏଏ । ଏହାର ୫ ବର୍ଷ ପରେ କେନ୍ଦ୍ର ସରକାର ସିଏଏ ଲାଗୁ କରିଛନ୍ତି ।