କନକ ବ୍ୟୁରୋ : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏହି ସମାରୋହ ପାଇଁ କଡ଼ା ସୁରକ୍ଷାବଳୟରେ ଗାନ୍ଧୀମାର୍ଗ । ସମାରୋହ ପାଇଁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ । ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳିତ ହେବ ।
ଗତକାଲି ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଆଦିତ୍ୟ ମହାପାତ୍ର, ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଗାନ୍ଧୀମାର୍ଗରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସେହିପରି ଡଗ୍ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍-କ୍ୟାଚର୍ ଟିମ୍ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ରାସ୍ତାରେ ବିଶୋଧକ ସିଞ୍ଚନ କରାଯାଇଥିଲା । ସମାରୋହ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଥିପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନାରେ ୫ ଅତିରିକ୍ତ ଡିସିପି, ୧୩ ଏସିପି, ୧୮ ଇନ୍ସପେକ୍ଟର, ୬୫ ସବ୍ଇନ୍ସପେକ୍ଟର୍ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ। ଟ୍ରାଫିକ୍ ପରିଚାଳନା ପାଇଁ ୩ ପ୍ଲାଟୁନ୍ ଫୋର୍ସ ରହିବେ। ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସାର୍ପ ସୁଟର୍, ସାଦା ପୋଷାକଧାରୀ ପୁଲିସ, କୁଇକ୍ ରେସପନ୍ସ ଟିମ୍ ମୁତୟନ ରହିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାନ୍ଧୀମାର୍ଗ ଏବଂ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଛି ।
ଏହାସହ ଗାନ୍ଧୀମାର୍ଗକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନିୟନ୍ତ୍ରଣକୁ ନିଆଯାଇଛି । ଗାନ୍ଧୀମାର୍ଗର ବିଭିନ୍ନ ଅଞ୍ଚଳରେ ଶହେରୁ ଊର୍ଧ୍ବ ସିସି କ୍ୟାମରା ଖଞ୍ଜା ଯାଇଛି। କଣ୍ଟ୍ରୋଲ୍ ରୁମ୍ରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି । ତେବେ କୋଭିଡ୍ କଟକଣା ବଳବତ୍ତର ଥିବାରୁ ପରେଡ୍ସ୍ଥଳକୁ ସାଧାରଣ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି ।