କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ୩ ଦିନିଆ ଗସ୍ତରେ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ ଭୁବନେଶ୍ୱର ଆସିଛନ୍ତି । ରାଜ୍ୟରେ ଏହି ଟିମ୍ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।
ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରାପକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିଧ ପଦକ୍ଷେପ ଉପରେ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ତାଙ୍କ ଟିମ୍ । ଆଜି ପ୍ରଥମ ଦିନରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ଓ ନେତୃବୃନ୍ଦଙ୍କ ସହ ନିର୍ବାଚନ ସମ୍ପର୍କିତ ଆଦର୍ଶ ଆଚରଣବିଧି ପାଳନ ସମ୍ପର୍କରେ ଆଲୋଚନା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ । ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ରାଜ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ବାହିନୀ, କେନ୍ଦ୍ର ପୋଲିସ ବାହିନୀର ନୋଡାଲ ଅଧିକାରୀ, ପ୍ରବର୍ତନ ସଂସ୍ଥା, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବେ । ଅପରାହ୍ନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।