ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ।

258

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ଆଜି ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତାମିଲନାଡୁର କନ୍ନୁର ଅଞ୍ଚଳରେ ବାୟୁସେନାର ଏମଆଇ-ସେଭେନଟିନ୍-ଭି-ଫାଇବ୍ ହେଲିକପ୍ଟର ହଠାତ୍ ଆକାଶରୁ ଖସିପଡିଲା । ଏକ ଗଛରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ବିସ୍ଫୋରଣ ହୋଇଗଲା ଏହି ଅତ୍ୟାଧୁନିକ ହେଲିକପ୍ଟର । ଆଉ ହେଲିକପ୍ଟରରେ ଥିବା ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ପ୍ରାଣ ହରାଇଛନ୍ତି । ଭାରତୀୟ ବାୟୁସେନା ଏକ ଟୁଇଟ୍ କରି କହିଛି, ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୩ଜଣ ପ୍ରାଣ ହରାଇଛନ୍ତି ।

ତାମିଲନାଡୁର କୁନ୍ନୁର ଅଞ୍ଚଳରେ ହଠାତ୍ ଆକାଶରୁ ଖସିପଡ଼ିଲା ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଏମଆଇ ସେଭେଣ୍ଟିନ୍-ଭି-ଫାଇଭ୍ । ଜଙ୍ଗଲର ନିଆଁ ଭଳି ମାତ୍ର କେଇ ମିନିଟ୍ ଭିତରେ ଏହି ଦୁର୍ଘଟଣାର ଖବର ସାରା ଦେଶରେ ବ୍ୟାପିଗଲା । ଭାରତୀୟ ବାୟୁସେନା ଟୁଇଟ୍ କରି ଜଣାଇଲା ଯେ, ହେଲିକପ୍ଟରରେ ଥିଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା । ତାଙ୍କ ସହ ଅନ୍ୟ କିଛି ସେନାର ଉଚ୍ଚ ଅଧିକାରୀ ବି ଏହି ହେଲିକପ୍ଟରରେ ଯାଉଥିଲେ ।

ସାରା ଦେଶରେ ଚିନ୍ତା ଖେଳିଗଲା ଯେ, ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଓ ଅନ୍ୟ ଅଧିକାରୀ ସୁରକ୍ଷିତ ଅଛନ୍ତି ତ ? ଭାରତ ସରକାର ମଧ୍ୟ ତତ୍ପର ହୋଇ ଉଠିଲେ, କାରଣ ଦୁର୍ଘଟଣା ସ୍ଥଳରୁ ଯେଉଁ ଦୃଶ୍ୟ ଆସୁଥିଲା, ତାହା ଯେତିକି ସାଂଘାତିକ ଥିଲା, କାରଣ ପୂରା ହେଲିକପ୍ଟର ଏକପ୍ରକାର ଚୁରମାର ହୋଇଯାଇଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଡିଏସ୍ ବିପିନ ରାୱତଙ୍କ ଘରେ ପହଞ୍ଚିବାର ଖବର ଆସିଲା । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିବୃତି ରଖିବେ ବୋଲି ସୂଚନା ଆସିଲା ।

ସମୟ – ପ୍ରାୟ ସନ୍ଧ୍ୟା ୬ଟା । ଟୁଇଟ୍ କଲା ଭାରତୀୟ ବାୟୁସେନା । ଯାହା ଆଶଙ୍କା କରାଯାଉଥିଲା, ଟୁଇଟରେ ସେଇଆ ହିଁ ଥିଲା । ଭାରତୀୟ ବାୟୁସେନା ପକ୍ଷରୁ ଏହି ଟୁଇଟରେ କୁହାଗଲା ଯେ, ଜେନେରାଲ ବିପିନ ରାୱତ ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ହେଲିକପ୍ଟରରେ ଥିବା ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଲେଖିଛନ୍ତି ଯେ, ଏହି ଦୁର୍ଘଟଣା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛନ୍ତି । ରାୱତଙ୍କ ୪୦ ବର୍ଷର ସେବାକୁ କେହି ଭୁଲି ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଗଭୀର ଶୋକ ପ୍ରକାଶ କରିବା ସହ ଲେଖିଛନ୍ତି ଯେ, ପ୍ରତିରକ୍ଷା ସଂସ୍କାରରେ ବିଭିନ୍ନ ଦିଗରୁ କାମ କରିଥିଲେ, ଏବଂ ତାଙ୍କର ଗଭୀର ଅନୁଭୂତି ଭାରତୀୟ ସେନାକୁ ବହୁ ଭାବେ ସାହାଯ୍ୟ କରିଥିଲା । ଏଦେଶ କେବେ ତାଙ୍କର ଅବଦାନକୁ ଭୁଲି ପାରିବ ନାହିଁ । ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଶାହା ଲେଖିଛନ୍ତି ଯେ, ଭାରତୀୟ ସେନାର ସବୁଠୁ ସାହସୀ ସୈନିକଙ୍କ ମଧ୍ୟରେ ଜଣେ ଥିଲେ ଜେନେରାଲ ବିପିନ ରାୱତ ।