କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା କେମିତି ହେଲା ? ସାମ୍ନାକୁ ଆସିଲା ଦୁର୍ଘଟଣା ପଛର କାରଣ । ଏୟାର ମାର୍ଶଲ ମନଭେନ୍ଦ୍ର ସିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଗତ ବର୍ଷ ଡିସେମ୍ବର ୮ ତାରିଖ ଦିନ ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା । ଏଥିରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ସରକାର ତ୍ରିସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାର ନେତୃତ୍ୱ ନେଉଥିଲେ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ ।
ଏୟାର ମାର୍ଶଲଙ୍କ ରିପୋର୍ଟ ଅନୁଯାୟା ପାଗ ଖରାପ, ଠିକ୍ ଭାବରେ ଦେଖାନଯିବା ଦୁର୍ଘଟଣାର ପ୍ରମୁଖ କାରଣ । ହେଲିକପ୍ଟରରେ ବୈଷୟିକ ତୃଟି, ମିସାଇଲ ଆକ୍ରମଣର କୌଣସି ସୂଚନା ନାହିଁ । ହେଲିକପ୍ଟର ଦୁର୍ଘଟଣା ପରେ ଉଦ୍ଧାର ହୋଇଥିଲା ବ୍ଲାକ୍ ବକ୍ସ । ଏହି ବକ୍ସରେ ଥିବା ଫ୍ଲାଇଟ୍ ଡାଟା ରେକର୍ଡର ବା ଏଫଡିଆର ଏବଂ କକପିଟ୍ ଭଏସ ରେକର୍ଡର ବା ସିଭିଆରକୁ ଆଧାର କରି ତଦନ୍ତ ଅଧିକାରୀ ଏୟାର ମାର୍ଶଲ ମନଭେନ୍ଦ୍ର ସିଂ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।