ଡ୍ରୋନ୍ ଆକ୍ରମଣ ପାଇଁ ପାକିସ୍ତାନକୁ ମିଳିବ ମୁହଁତୋଡ ଜବାବ । ସିଡିଏସ ବିପିନ ରାୱତଙ୍କ କଡ୍ଡା ଚେତାବନୀ । କହିଲେ ଭାରତୀୟ ନାଗରିକ କିମ୍ବା ସେନା ଶିବିର ଉପରେ ଆକ୍ରମଣ କଲେ ଭୟଙ୍କର ଜବାବ ଦିଆଯିବ ।

172

କନକ ବ୍ୟୁରୋ: ପାକିସ୍ତାନର ଡ୍ରୋନ ଆକ୍ରମଣ ଉଦ୍ୟମକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ । କହିଛନ୍ତି ଡ୍ରୋନ ଜରିଆରେ ଇସଲାମାବାଦ ଭାରତୀୟ ନାଗରିକ କିମ୍ବା ସେନା ଶିବିର ଉପରେ ଆକ୍ରମଣ କଲେ ଭୟଙ୍କର ଜବାବ ଦିଆଯିବ । ଆଉ ପ୍ରତିଜବାବ କେତେ ବେଳେ ଦିଆଯିବ ତାହାର ସମୟ, ସ୍ଥାନ, ଠିକଣା ଭାରତ ସ୍ଥିର କରିବ ।

ଜୁନ ୨୭ ତାରିଖରେ ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଥିବା ପ୍ରମାଣ ପାଇଛନ୍ତି ତଦନ୍ତକାରୀ ଦଳ । ଏହି ଆକ୍ରମଣରେ ବିଶେଷ କ୍ଷତି ସହି ନାହିଁ ଭାରତ । ସିଡିଏସ ଜେନେରାଲ ରାୱତ କହିଛନ୍ତି, ପାକିସ୍ତାନର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଭାରତର କୌଣସି କ୍ଷତି କଲେ ଭୟାନକ ଜବାବ ଦିଆଯିବ । ଆଉ ଭାରତୀୟ ସେନାଙ୍କ ପ୍ରତି ଜବାବ ଭିନ୍ନ ଧରଣର ହେବ । ଏଥିପାଇଁ ଆବଶ୍ୟକ ରାଜନୈତିକ ଇଚ୍ଛା ଶକ୍ତି ରହିଛି ଓ ସଶସ୍ତ୍ର ସେନା ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ସେହିପରି ବାୟୁ ସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଆରଏସକେ ଭଦୋରିଆ କହିଛନ୍ତି, ବାୟୁ ସେନା ପାଖରେ ଡ୍ରୋନର କମାଣ୍ଡିଂ ଓ କଂଟ୍ରୋଲକୁ ଅଚଳ କରିଦେଉଥିବା ଜାମର ରହିଛି । ହେଲେ ଜାମ୍ମୁ ଏୟାରଫୋର୍ସ ଷ୍ଟେସନ ଡ୍ରୋନ ଜାମର ନିୟୋଜିତ ହୋଇନଥିଲା । ତେବେ ପାକିସ୍ତାନ ଡ୍ରୋନ ଜରିଆରେ ଏମଆଇ-୧୭-ଭି-୫ ହେଲିକପ୍ଟରକୁ ଟାର୍ଗେଟ କରିଥିବା ଉଦ୍ୟମ ଫେଲ ମାରିଛି । ଆଉ ଏହା ନିଶ୍ଚିତ ଭାବେ ଭାରତ ପାଇଁ ନୂଆ ବିପଦ । ଭାରତୀୟ ବାୟୁ ସେନା, ଡିଆରଡିଓ ସହ ମିଳିତ ଭାବେ ଆଂଟିଡ୍ରୋନ ସିଷ୍ଟମ ଉପରେ କାମ କରୁଛି । ଖୁବ ଶୀଘ୍ର ଏହାର ପରୀକ୍ଷଣ ହେବ ଓ ଭାରତୀୟ ସେନାର ସାମିଲ ହୋଇ ଯବାନଙ୍କ ମନୋବଳ ଓ ଶକ୍ତି ବଢାଇବ ।