ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି, ପର୍ବତାଞ୍ଚଳ ଲଢ଼େଇରେ ସକ୍ଷମ ନୁହଁନ୍ତି ପିଏଲଏ ସେନା ।

156

କନକ ବ୍ୟୁରୋ: ଗଲୱାନ ସଂଘର୍ଷ ପରେ ଚୀନକୁ ଏକ ଶିକ୍ଷା ମିଳିଛି । ପିପୁଲସ୍ ଲିବେରେସନ ଆର୍ମି ବା ପିଏଲଏ ଅନୁଭବ କରିଛି ଯେ, ଏହାର ସୈନିକ ମାନେ ପର୍ବତାଞ୍ଚଳ ଲଢ଼େଇରେ ସେତେଟା ସକ୍ଷମ ନୁହଁନ୍ତି, ଆଉ ଏଥିପାଇଁ ସେମାନଙ୍କୁ ଅଧିକ ଉନ୍ନତ ମାନର ତାଲିମ ଦରକାର । ଆଉ ଏହାକୁ ନେଇ ଭାରତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତିବଦ୍ଦ ଅଧିବାସୀଙ୍କୁ ପିଏଲଏ ସେନାରେ ଅଧିକ ସାମିଲ କରୁଥିବା ନେଇ ଖବର ଉପରେ ସେ ପ୍ରତିକ୍ରିୟା ରଖିଛନ୍ତି ।

ଗଲୱାନ ସଂଘର୍ଷକୁ ନିକଟରେ ବର୍ଷେ ପୁରିଥିବା ବେଳେ ଏବେବି ସୀମାରେ ଉତେଜନା ଜାରି ରହିଛି । ପୂର୍ବ ଲଦାଖର କିଛି ଜାଗାରୁ ଉଭୟ ଚୀନ୍ ଓ ଭାରତୀୟ ସେନା ଅପସାରଣ ହୋଇଥିବା ବେଳେ ଏବେ ବି ଅନ୍ୟ କିଛି ଜାଗାରେ ସ୍ଥିତି ଉତେଜନାମୂଳକ ରହିଛି । ପାଙ୍ଗୋଙ୍ଗ ସୋ ଅଂଚଳରେ ଉଭୟ ପକ୍ଷରୁ ସେନା ଅପସାରଣ ହୋଇସାରିଛି । ହେଲେ ଗୋଗ୍ରା ଫ୍ରଣ୍ଟ ଓ ଡେସପାଙ୍ଗ ଅଂଚଳରେ ଅପସାରଣ ଆଗକୁ ବଢ଼ିପାରି ନାହିଁ ।

ଦୁଇ ଦେଶର ସେନା ଏବେ ବି ଏହି ସବୁ ଅଂଚଳରେ ପାଖାପାଖି ରହିଛନ୍ତି । ଏସବୁ ଭିତରେ ଚୀନ ସେନା ତିବଦ୍ଦ ଯୁବକଙ୍କୁ ନେଇ ଏକ ସ୍ୱତନ୍ତ୍ର ୟୁନିଟ ଗଠନ କରୁଥିବା ଖବର ମିଳିଛି । ସ୍ପେଶାଲ ତିବେତାନ ଆର୍ମି ୟୁନିଟରେ ଏବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏବେ ଦୁଇଟି ବ୍ୟାଚ୍ ତାଲିମ ନେଉଛି ଓ ପ୍ରତି ବ୍ୟାଚରେ ପ୍ରାୟ ଶହେ ଜଣ ଯୁବକ ରହିଥିବା ଏକ ଖବରରେ କୁହାଯାଇଛି । ସିଡିଏସ୍ ରାୱତ କହିଛନ୍ତି ଯେ, ଗତବର୍ଷର ଗଲୱାନ ସଂଘର୍ଷ ପରେ ଭାରତ ସୀମାକୁ ଲାଗି ଥିବା ନିଜର ସୈନିକଙ୍କ ତାଲିମ ଓ ଦକ୍ଷତା ବୃଦ୍ଧି ଉପରେ ଚୀନ୍ ଗୁରୁତ୍ୱ ଦେଇଛି ।

ଗତବର୍ଷ ଜୁନ୍ ୧୫ ରାତିରେ ଲଦାଖର ଗଲୱାନ ଘାଟିରେ ଭାରତୀୟ ସେନା ଓ ପିଏଲଏ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ବିହାର ରେଜିମେଂଟର କମାଣ୍ଡିଂ ଅଫିସର ସନ୍ତୋଷ ବାବୁଙ୍କ ସହ ଅନ୍ୟ ୧୯ ବୀର ଯବାନ ସହିଦ ହୋଇଥିଲେ । ଚୀନ୍ ପକ୍ଷ ମଧ୍ୟ ବହୁ କ୍ଷତି ସହି ଥିଲା । ଯଦିଓ ଚୀନ୍ ଏହି କ୍ଷତିକୁ ଲୁଚାଇବାକୁ ଚେଷ୍ଟା କରିଥିଲା, ହେଲେ ଆମେରିକା ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ଏହି ସଂଘର୍ଷରେ ୩୦ରୁ ଅଧିକ ଚୀନ୍ ସୈନିକ ମୃତାହତ ହୋଇଥିଲେ