ଭୟଙ୍କର ହେଉଛି ଡେଲ୍ଟା ଭାରିଏଣ୍ଟ । ହାଡ଼ଫୁଟି ଭଳି ବ୍ୟାପୁଛି କରୋନା । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ରର ଅନୁଧ୍ୟାନକୁ ନେଇ ବଢ଼ିଲା ଚର୍ଚ୍ଚା ।

246
  • ହାଡ଼ଫୁଟି ଭଳି ବ୍ୟାପୁଛି କରୋନା
  • ଚିନ୍ତା ବଢ଼ାଉଛି ଡେଲଟା ଭାରିଏଣ୍ଟ

ବିଶ୍ୱର କିଛି ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶିତ ଏଭଳି ରିପୋର୍ଟ କରୋନା ଭୂତାଣର ଭୟାବହତାକୁ  ପ୍ରକାଶ କରୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର, କରୋନା ସଂକ୍ରମଣ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆଣିଛି, ତାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଥିରେ କୁହାଯାଇଛି, କରୋନାର ଡେଲଟା ଭାରିଏଣ୍ଟ ହାଡ଼ଫୁଟି ଭଳି ବ୍ୟାପୁଛି । ଏହି ଭୂତାଣୁ ଅଧିକ ସଂକ୍ରାମକ ହେଉଛି । ଏମିତି କି ସାଧାରଣ ଥଣ୍ଡାଠାରୁ ଅଧିକ ବେଗରେ ବ୍ୟାପୁଛି ଏବଂ ଅଧିକ ଗମ୍ଭୀର ହେଉଛି । ତେଣୁ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟତା ରହିଛି ।

ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି ପକ୍ଷରୁ ହୋଇଥିବା ଏହି ଅନୁଧ୍ୟାନର ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ । ତେବେ ଏହି ତଥ୍ୟଟି ସଂପୂର୍ଣ୍ଣ ସତ୍ୟ ବୋଲି ୱାସିଂଟନ୍ ପୋଷ୍ଟକୁ କହିଛନ୍ତି ସିଡିସି ଡାଇରେକ୍ଟର । ସେ କହିଛନ୍ତି ଏହି ଭୁତାଣୁ ଅଧିକ ସଂକ୍ରାମକ ଆମେ ସମସ୍ତେ ଜାଣନ୍ତି ଆଉ ଏହା ଏବେ ହାଡ଼ଫୁଟି ଭଳି ବ୍ୟାପୁଛି । ସଂପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତି ମଧ୍ୟ ସେହି ହାରରେ ଅନ୍ୟକୁ ସଂକ୍ରମିତ କରୁଛନ୍ତି ଯେଉଁ ହାରରେ ଟିକା ନେଇନଥିବା ଲୋକ କରୁଛନ୍ତି ।

ସିଡିସିର ଏହି ଅନୁଧ୍ୟାନ ପରେ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସଂକ୍ରମଣର ଅଧିକ ଆଶଙ୍କା ଥିବା ବନ୍ଦ ଘରେ, ଟିକାନେଇଥିଲେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସ୍ଥିତି ଯେହେତୁ ଗୁରୁତର ରହିଛି, ପଦକ୍ଷେପ ମଧ୍ୟ କଡ଼ାକଡ଼ି ନେବାର ଆବଶ୍ୟକତା ରହିଛି ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର କହିଛି ।