ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୋଇପଡିଛି ସିସିଟିଭି । ଜିନିଷ ଚୋରି ହେଲେ ରାତ୍ର ଜଗୁଆଳ ମୁଣ୍ଡରେ ଅଠା ।

66

କନକ ବ୍ୟୁରୋ : ଅପରାଧ ରୋକିବାରେ ମୁଖ୍ୟ ଅସ୍ତ୍ର ସାଜିଛି ସିସିଟିଭି । ଦିନ ହେଉ ଅବା ରାତି ସବୁ ସମୟରେ ସୁରକ୍ଷା ଯୋଗାଉଛି । କିନ୍ତୁ ଆଜିର ଏହି ସମୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସିସିଟିଭି ସୁରକ୍ଷା ଠାରୁ ଦୂରରେ । ଯଦି ଏପରି ପରିସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ବି ଅଘଟଣ ଘଟେ ତାକୁ ପ୍ରମାଣିତ କରିବା ପାଇଁ କୌଣସି ଉପାୟ ନାହିଁ, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ ବର୍ତମାନ ଏକ ଚାରି ମହଲା କୋଠାରେ ଚାଲିଛି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏହାରି ଭିତରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ସହିତ ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟାଳୟ ଇତ୍ୟାଦି ରହିଛି । ଦୈନିକ ଶହଶହ ଲୋକ ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି । ଅନେକ ସମୟରେ ବିଭିନ୍ନ ଦାବି ନେଇ ଅନେକ ସଂଗଠନର ଶହଶହ ଲୋକ ଏହାର ସମ୍ମୁଖରେ ଧାରଣା ଦେଉଛନ୍ତି । ହେଲେ ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ କିଏ ଆସୁଛି କିଏ ଯାଉଛି ତାକୁ ଦେଖିବା ପାଇଁ ସିସିଟିଭି ଲାଗିଛି । ହେଲେ ଜଗିବା ବଦଳରେ ମୁଣ୍ଡ ଭାଙ୍ଗି ପଡ଼ିଛି ସିସିଟିଭି । ପୁରା କାର୍ଯ୍ୟାଳୟରେ ୨୦ରୁ ଉର୍ଦ୍ଧ ସିସିଟିଭି ଲାଗିଥିବା ବେଳେ ଦୀର୍ଘ ଦିନରୁ ସବୁ ଅଚଳ ହୋଇ ପଡିଛି । ତେବେ ଏହାର ସୁଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଗାଡ଼ି ହେଲମେଟ୍ ଚୋରି ବୃଦ୍ଧି ପାଇଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ସିସିଟିଭି ଲାଗିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ତାହା ସେବାରୁ ଦୂରେଇ ଯାଇଛି । ଯାହାକି ନିକଟରେ ଏକ ଚୋରି ଘଟଣାର ପ୍ରମାଣ ନଥିବାରୁ ରାତ୍ରି ଜଗୁଆଳ ମୁଣ୍ଡରେ ଅଠା ବୋଲିବାକୁ ଉଦ୍ୟମ କରିଛନ୍ତି କିଛି କର୍ମଚାରୀ ।

ଜାନୁଆରୀ ୨୬ ଅବସରରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗମାନଙ୍କୁ କିଛି ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ବର୍ଷା ହେବାରୁ ସେଠାରେ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । ଏଥିପାଇଁ ଟେଣ୍ଟ ହାଉସ ପକ୍ଷରୁ ଆସିଥିବା ଏକ ନୂତନ ମ୍ୟାଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାର୍କିରୁ ଚୋରି ହୋଇଗଲା । କିନ୍ତୁ ଦୋଷ ଲୁଚାଇବାକୁ ଯାଇ ୨୭ ବର୍ଷ ହେଲା ରାତ୍ରି ଜଗୁଆଳ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳିବାର ଉଦ୍ୟମ କରାଯାଇଥିଲା । ଯାହାକି ତାହା ଜାଣିପାରି ରାତ୍ର ଜଗୁଆଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଥିଲେ । ତେବେ ପ୍ରଶ୍ନ ଉଠୁଛି ସୁରକ୍ଷା ପାଇଁ ଥିବା ସିସିଟିଭି ଅଚଳ ହୋଇ ପଡିଥିବା ବେଳେ କିଛି ଦୁର୍ଘଟଣା କି ଅଘଟଣ ଘଟିଲେ ଏଥିପାଇଁ କିଏ ରହିବ ଦାୟୀ । କଣ ପାଇଁ ପ୍ରଶାସନ କିମ୍ବା ସଂପୃକ୍ତ ଦାୟିତ୍ବରେ ଥିବା ଅଧିକାରୀ ସିସିଟିଭି ମରାମତି ପାଇଁ ଉଦ୍ୟମ କରୁନାହାନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଜ କାର୍ଯ୍ୟାଳୟର ସୁରକ୍ଷା ପାଇଁ ସିସିଟିଭି ଗୁଡ଼ିକର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।