ପାଖେଇ ଆସୁଛି ଯୁକ୍ତ୨ ପରୀକ୍ଷା: ବିଭିନ୍ନ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚେତାବନୀ; ୨୪ଘଣ୍ଟାରେ ସିସିଟିଭି ଲଗାଅ, ନ ହେଲେ ବାତିଲ୍ ହୋଇଯିବ ପରୀକ୍ଷା କେନ୍ଦ୍ର

449

କନକ ବ୍ୟୁରୋ: ଥରେ କି ଦୁଇ ଥର ନୁହେଁ; ୩ ଥର ଚିଠି ଲେଖାଯିବା ପରେ ବି କେତେକ ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଏପର୍ଯ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି। ବାରମ୍ବାର ତାଗିଦ୍ ସତ୍ତ୍ବେ ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ଖାମଖିଆଲି ମନୋଭାବ ପୋଷଣ କରୁଥିବାରୁ କଡ଼ା ଚେତାବନୀ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯଦି ଆସନ୍ତା ୪୮ ଘଣ୍ଟା ଅର୍ଥାତ ୨୫ ତାରିଖ ରାତି ୧୨ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ନ ଲଗାନ୍ତି ତେବେ ସେଠାରେ ପରୀକ୍ଷା କରାଯିବ ନାହିଁ। କେନ୍ଦ୍ର ବାତିଲ୍ ହେବା ସହ ସରକାରୀ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଚେତାବନୀ ଦେଇଛନ୍ତି। ଶ୍ରୀ ସାହୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବାରମ୍ବାର କହିବା ସତ୍ତ୍ବେ କିଛି ପରୀକ୍ଷା କେନ୍ଦ୍ର ସିସିଟିଭି ତଥ୍ୟ ଦେଇନାହାନ୍ତି। ପରୀକ୍ଷା ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାରୁ ତୁରନ୍ତ ସିସିଟିଭି ତଥ୍ୟ ଦାଖଲ କରନ୍ତୁ। ନ ହେଲେ ପରୀକ୍ଷା କେନ୍ଦ୍ର ବାତିଲ୍ କରାଯିବା ସହ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଉକ୍ତ କଲେଜକୁ ଟ୍ୟାଗ୍ କରାଯିବ।

ଯୁକ୍ତ୨ ପରୀକ୍ଷା ହେବାକୁ ଥିବା ସମସ୍ତ ୧୧୪୨ ପରୀକ୍ଷା କେନ୍ଦ୍ର ପାଇଁ ସୁପରିନଟେଣ୍ଡେଣ୍ଟ ନିଯୁକ୍ତ କରାଯାଇଛି। ଯେଉଁ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ପରୀକ୍ଷା କେନ୍ଦ୍ର ହୋଇଛି ସେଠାର ଅଧ୍ୟକ୍ଷ ହିଁ ପରୀକ୍ଷା କେନ୍ଦ୍ରର ସୁପରିନ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତ ହେବେ। ଯଦି ସୁପରିନ୍ଟେଣ୍ଡେଣ୍ଟଙ୍କ ସମ୍ପର୍କୀୟ ଏହି ପରୀକ୍ଷାରେ ସାମିଲ ହୋଇଥିବେ ସେଭଳି ସ୍ଥିତିରେ ଅଧ୍ୟକ୍ଷମାନେ କଲେଜର ଜଣେ ବରିଷ୍ଠ ଟିଚିଂ ଷ୍ଟାଫଙ୍କୁ ସୁପରିନଟେଣ୍ଡେଣ୍ଟ ଭାବେ ନିୟୋଜିତ କରିପାରିବେ। ନିୟମ ଅନୁଯାୟୀ ପ୍ରତି କେନ୍ଦ୍ରରେ ଡେପୁଟି ସୁପରିନ୍ଟେଣ୍ଡେଣ୍ଟ ନିଯୁକ୍ତ ହେବେ।

ଅନ୍ୟପକ୍ଷରେ ଏହି ସପ୍ତାହରେ ପରୀକ୍ଷା ପରିଚାଳନା ହବ୍ (ଇଏମଏଚ୍)ଗୁଡ଼ିକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ। ପ୍ରଶ୍ନପତ୍ର ରଖିବା ପାଇଁ ହବ୍ରେ ଗୋଟିଏ ଷ୍ଟ୍ରଙ୍ଗ୍ ରୁମ୍ ରହିବ। ଯେଉଁଥିରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ। ପ୍ରଶ୍ନପତ୍ର ପହଞ୍ଚିବାଠାରୁ ସମସ୍ତ ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ କେନ୍ଦ୍ର ଏବଂ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ-୧ଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ଷ୍ଟ୍ରଙ୍ଗ୍ରୁମ୍ ଚାଲୁରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଅସ୍ଥାୟୀ ଟ୍ରେଜରର୍ ବୋଲି ଘୋଷଣା କରାଯିବ। ସବୁ ହବ୍ ଚାରିପାଖରେ ରାତିରେ ପୁଲିସ ପେଟ୍ରୋଲିଂ ହେବ। ସବୁ ଷ୍ଟ୍ରଙ୍ଗ୍ରୁମ୍ରେ ଦୁଇଟି ଲେଖାଏ ତାଲା ପଡ଼ିବ।

ଗୋଟିଏ ତାଲାର ଚାବି ହବ୍ ସୁପରଭାଇଜର ଓ ଅନ୍ୟଟିର ଚାବି ହବର ଡେପୁଟି ସୁପରଭାଇଜରଙ୍କ ନିକଟରେ ରହିବ। ପରିଷଦଠାରୁ ପ୍ରଶ୍ନପତ୍ର ଗ୍ରହଣ କରିବା ସମୟରେ ସିସିଟିଭିରେ ତାହା ରେକଡିଂ ହେବା ଆବଶ୍ୟକ। ପ୍ରଶ୍ନପତ୍ର ଗ୍ରହଣ କଲେ ବୋଲି ଉଭୟ ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଦସ୍ତଖତ କରିବେ। ହବରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା କର୍ମୀ ରହିବେ। ପ୍ରଶ୍ନପତ୍ର ପ୍ୟାକେଟଗୁଡ଼ିକ ଯେପରି ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚେ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ହବ୍ ସୁପରଭାଇଜରଙ୍କୁ କୁହାଯାଇଛି।