କନକ ବ୍ୟୁରୋ: କନକ ନ୍ୟୁଜ୍ ହାତରେ ଲାଗିଛି ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଭିତରେ ଭଙ୍ଗାରୁଜା ସମୟର ସିସିଟିଭି ଫୁଟେଜ୍ । କୁହାଯାଉଥିଲା ଦୁର୍ବୃତ ମାନେ ହାର୍ଡଡିସ୍କକୁ ଭାଙ୍ଗି ଦେଇଛନ୍ତି । ତେଣୁ ଆକ୍ରମଣକାରୀଙ୍କୁ ଆଉ ଚିହ୍ନଟ କରିବା ସମ୍ଭବ ନୁହେଁ । ହେଲେ ଏହି ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ବିବାଦ ଆହୁରି ବଢ଼ିଛି । ସ୍ଥାନୀୟ ନେତାଙ୍କ ଭିତରେ କଥା କଟାକଟି ଜୋରଦାର ହେବାରେ ଲାଗିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସାମ୍ନାକୁ ଆସିଲା ବରଗଡ ଅମ୍ବାଭୋନା ଥାନା ଭଙ୍ଗା ଘଟଣାର ସିସିଟିଭି ଫୁଟେଜ । କନକ ନ୍ୟୁଜ ହାତରେ ଲାଗିଛି ସେହି ସମୟର ଏକ୍ଲକ୍ଲସିଭ୍ ଫୁଟେଜ । କିଭଳି କିଛି ଯୁବକ ଥାନା ଭିତରେ ପ୍ରବେଶ କରୁଛନ୍ତି ଏବଂ ଟେବୁଲ ଉପରେ ଥିବା କମ୍ପ୍ୟୁଟରକୁ କଚାଡି ଦେବା ସହ, ତାର ଛିଣ୍ଡାଇ ଦେଉଛନ୍ତି । ଅଭିଯୋଗ ରହିଥିଲା ଯେ ଥାନାର ସିସିଟିଭି ହାର୍ଡଡିସ୍କକୁ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ । ତେଣୁ ସେମାନଙ୍କୁ ଚିହ୍ୱଟ କରିବା କଷ୍ଟକର ହୋଇପଡିବ । ଏବେ କିନ୍ତୁ କନକ ନ୍ୟୁଜ ହାତରେ ଲାଗିଛି, ଥାନା ଭଙ୍ଗା ଘଟଣାର ଲାଇଭ୍ ଫୁଟେଜ । ଏହି ଚିତ୍ର ହିଁ ବୟାନ କରୁଛି ସେତେବେଳେ ଉତ୍ୟକ୍ତ ଯୁବକ କିଭଳି ଆଇନକୁ ହାତକୁ ନେଇଥିଲେ । ଏହି ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଥିଲେ ବି ତାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଆସୁଛି ବିଜେପି । ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ବଡ଼ ନେତାଙ୍କ ପ୍ରୋତ୍ସାହନ ନରହିଲେ ଏଭଳି ଘଟଣା କେବେ ଘଟିବ ନାହିଁ । କିନ୍ତୁ ଥାନା ଭଙ୍ଗା ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂ ବିବାଦୀୟ ହେବା ପରେ କହିଥିଲେ, ତାଙ୍କର ସଂପୃକ୍ତି ରହିଛି ବୋଲି ଅଭିଯୋଗ ଆଣିବା ପୂର୍ବରୁ ପ୍ରମାଣ କରି ଦେଖାନ୍ତୁ । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କହିଛନ୍ତି, ଯେଉଁଠି ଥାନା ସୁରକ୍ଷିତ ନୁହେଁ ସେଠି ଲୋକେ କିଭଳି ସୁରକ୍ଷିତ ଥିବେ ଚିନ୍ତା କରିବାର ଆବଶ୍ୟକ ରହିଛି ।
ଅଭିଯୋଗ ଅନୁସାରେ କିଛି ଯୁବକ ସ୍ଥାନୀୟ ଅଂଚଳରେ ବଣଭୋଜି କରୁଥିଲେ । ସେଠାରେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ଅମ୍ବାଭୋନା ପୋଲିସ ରେଡ୍ କରିଥିଲା । କିନ୍ତୁ ଖାଲି ହାତରେ ଫେରିଥିଲା । ଏହି ସମୟରେ କିନ୍ତୁ ଯୁବକ ମାନଙ୍କ ସହ ପୋଲିସର ବଚସା ହୋଇଥିଲା । ପରେ ଉତ୍ୟକ୍ତ ଲୋକ ଥାନା ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ୬ ଜଣଙ୍କୁ ପୋଲିସ ଏହି ମାମଲାରେ ଗିରଫ କରିଛି । ୧୦୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଘଟଣା ଆହୁରି ବିବାଦୀୟ ହୋଇପଡିଛି ।