କନକ ବ୍ୟୁରୋ : ଭିତରକନିକା ଇତିହାସରେ ପ୍ରଥମ । ଭିତରକନିକା ଜଙ୍ଗଲରେ କ୍ୟାମେରା ଲଗାଇ ବନ୍ୟଜନ୍ତୁଙ୍କ ଗତିବିଧି ଓ ଶିକାରୀଙ୍କ ଉପରେ ତୀକ୍ଷଣ ନଜର ରଖିବ ବନ ବିଭାଗ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାଜନଗର ଘଞ୍ଚ ଜଙ୍ଗଲରେ କ୍ୟାମେରା ଲାଗି ସାରିଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମଧ୍ୟ କ୍ୟାମେରା ଲାଗିବ । ପଲିଗନ ସର୍ଚ୍ଚ ମାଧ୍ୟମରେ ଭିତରକନିକାରେ ଥିବା ବନ୍ୟଜନ୍ତୁ ମାନଙ୍କର ଗତିବିଧି ନିରିକ୍ଷଣ ପାଇଁ, ପ୍ରଥମ ଦଫାରେ ରାଜନଗର ରେଞ୍ଜର ଘଞ୍ଚ ଜଙ୍ଗଲ ମଧ୍ୟରେ କ୍ୟାମେରା ଖଞ୍ଜା ଯାଇଛି । ବନବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି ।

Advertisment

ପର୍ଯ୍ୟାୟକ୍ରମେ ରାଜନଗର ଲୁଣାଜଙ୍ଗଲ ବନ୍ୟଜୀବ ବନଖଣ୍ଡ ଅଧିନରେ ଥିବା ସମସ୍ତ ୫ଟି ରେଞ୍ଜର ଜଙ୍ଗଲରେ କ୍ୟାମେରା ଲାଗିବ । ଚଳିତବର୍ଷ ପ୍ରଥମଥର ପାଇଁ ଏମ-ସ୍ପ୍ରାଇଟ୍ସ ମୋବାଇଲ ଆପରେ ବନ୍ୟଜନ୍ତୁଙ୍କର ମନିଟରିଂ କରାଯିବ । ଏଥିସହ ବୋଟ ସାହାଯ୍ୟରେ ଭିତରକନିକା ଜୀବଜନ୍ତୁଙ୍କର ମନିଟରିଂ କରାଯିବ ।

ରାଜନଗର ରେଞ୍ଜର ସୁନେଇ ରୂପେଇ ଫରେଷ୍ଟ ବ୍ଲକର ରାଜାବନ୍ଧ, ଅଙ୍ଗାରି ଫରେଷ୍ଟ ବ୍ଲକ, ବରୁଣେଇ, ଦୋବନ୍ଧି, ଠାକୁରଡିଆ ଫରେଷ୍ଟବ୍ଲକ ମଧ୍ୟରେ କ୍ୟାମେରା ଖଞ୍ଜା ଯାଇଛି । ଭିତରକନିକାରେ ଥିବା ଫିସିଂକ୍ୟାଟ, ବଣବିରାଡି, ଚିତାବିରାଡି, ବିଲୁଆ, ହେଟାବାଘ, ପାଣିଓଧ, ଗୋଧ, ଝିଙ୍ôକ ଆଦି ବନ୍ୟଜୀବଙ୍କ ଗତିବିଧି ନିରିକ୍ଷଣ କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଡଃ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି ।