କନକ ବ୍ୟୁରୋ : କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର । ନୂଆ ସରକାର ଚାଷୀଙ୍କୁ ଦେଇଛନ୍ତି ନୂଆ ଭେଟି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଆସିବା ପୂର୍ବରୁ ଧାନ ସମେତ ୧୩ଟି ଖାଦ୍ୟ ଶସ୍ୟର ଏମଏସପି ବୃଦ୍ଧି କରିଛନ୍ତି ମୋଦି ସରକାର । କେନ୍ଦ୍ର କ୍ୟାବିନେଟରେ ଏମଏସପି ଦର ବୃଦ୍ଧି ଉପରେ ମୋହର ମାରିଛନ୍ତି ସରକାର ।

Advertisment

ସାଧାରଣ ଧାନର କ୍ୱିଣ୍ଟାଲ ପିଛା ଏମଏସପି ଦର ୬୫ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଆଉ ବର୍ଦ୍ଧିତ ଦର ସହ ଧାନର କ୍ୱିଣ୍ଟାଲ ପିଛା ଏମଏସପି ଦର ୧୮୧୫ରେ ପହଞ୍ଚିଛି । ଗତ ଆର୍ଥିକ ବର୍ଷରେ ଧାନର ଏମଏସପି ଦର ୧୭୫୦ ରହିଥିଲା । ସେହିଭଳି ଉନ୍ନତ ମାନର ଧାନ (ଗ୍ରେଡ ଏ)ର ସର୍ବନିମ୍ନ ସହାୟକ ମୂଲ୍ୟ ୬୫ ଟଙ୍କା ବୃଦ୍ଧି ହେବା ସହ ୧୮୩୫ ଟଙ୍କାରେ ପହଞ୍ଚିଛି ।

ସେହିପରି ସୋୟାବିନର ଏମଏସପି କ୍ୱିଣ୍ଟାଲ ପିଛା ୩୧୧ ଟଙ୍କା, ସୂର୍ଯ୍ୟମୁଖୀ ଏମଏସପି କ୍ୱିଣ୍ଟାଲ ପିଛା ୨୬୨ଟଙ୍କା ବୃଦ୍ଧି କରାଯାଇଛି । ମୁଗର ଏମଏସପି କ୍ୱିଣ୍ଟାଲ ପିଛା ୭୫ ଟଙ୍କା ବୃଦ୍ଧି କରାଯାଇ ୭୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ହରଡର ଏମଏସପି କ୍ୱିଣ୍ଟାଲ ପିଛା ୧୨୫ ଟଙ୍କା ବୃଦ୍ଧି କରି ୫୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଆଉ ଏହାଦ୍ୱାରା ଦେଶର କୋଟି କୋଟି ଚାଷୀ ଉପକୃତ ହୋଇପାରିବେ ।