ସର୍ଭିସ ଚାର୍ଜ ପାଇଁ ସିସିପିଏର ନୂଆ ମାର୍ଗଦର୍ଶିକା । ପ୍ରତିକ୍ରିୟାରେ ଏପରି କହିଲେ ହୋଟେଲ ମାଲିକ

123

କନକ ବ୍ୟୁରୋ: ସେବାଦେୟ ନେଇ ପାରିବେନି ହୋଟେଲ । ଏନେଇ ମାର୍ଗଦର୍ଶିକା ଜାରି କରିଛି ସିସିପିଏ । କେହି ଯଦି ଏହି ନିୟମକୁ ଉଲ୍ଲଂଘନ କରେ ସେମାନଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଖାଦ୍ୟ ଉପରେ ସେବାଦେୟ ଆଦାୟ ବେଆଇନ୍ । ଗ୍ରାହକଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଠାରୁ ଏହାକୁ ଆଦାୟ କରିବା ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ ଏବେ ମହଙ୍ଗା ପଡ଼ିବ । ସ୍ୱତଃପ୍ରବୃତ ହେଉ କିମ୍ବା ଭୁଲବଶତଃ ଏମାନେ ସର୍ଭିସ ଚାର୍ଜ ଆଦାୟ କରିପାରିବେ ନାହିଁ । ଯଦି କରନ୍ତି ତାହେଲେ ଏହାର ପରିଣାମ ଭୋଗିବେ ।

ଖାଲି ସେତିକି ନୁହେଁ ହୋଟେଲ ଏବଂ ରେଷ୍ଟୁରାଂଟଗୁଡ଼ିକ ଅନ୍ୟ କୌଣସି ଶୁକ୍ଲ ବାହାନାରେ ବି ଏହାକୁ ଲଗାଇପାରିବେ ନାହିଁ । ନିୟମର ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମାର୍ଗଦଶିକା ଜାରି କରିଛନ୍ତି କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ । ସେବାଦେୟକୁ ନେଇ ଅନେକ ଦିନ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି ।

ଏହାକୁ ବେଆଇନ୍ ଦର୍ଶାଇଛି ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ । ଏହାସହ କେନ୍ଦ୍ରର ଏଭଳି ନିଷ୍ପତ୍ତିି ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ହୋଟେଲ ମାଲିକ । ସର୍ଭିସ ଚାର୍ଜ ଆଦାୟ ଉପରେ କଟକଣା ଲାଗିଲେ ଏହାକୁ ଭିନ୍ନ ଢଙ୍ଗରେ ଆଦାୟ କରିପାରନ୍ତି ହୋଟେଲ ଓ ରେସ୍ତୁରାଁ । କାରଣ ସେବା ଦେଉଥିବା କର୍ମଚାରୀଙ୍କୁ ଏହି ସର୍ଭିସ ଚାର୍ଜରୁ ଆଦାୟ ହେଉଥିବା ଟଙ୍କା ଦିଆଯାଇଥାଏ । ଜଣେ ପାରିଶ୍ରମିକ ନ ପାଇଲେ ସେବା କାହିଁକି ଦେବ ବୋଲି ପ୍ରଶ୍ନ କରିଛନ୍ତି ଓଡିଶା ହୋଟେଲ ଓ ରେସ୍ତୁରାଁ ମାଲିକ ସଂଘର ସଭାପତି । ସର୍ଭିସ ଚାର୍ଜ ବନ୍ଦ ହୋଇଗଲେ ସେବା ଯୋଗାଉଥିବା କର୍ମଚାରୀ କ୍ଷତି ସହିବେ ବୋଲି ସେ ମତ ରଖିଛନ୍ତି ।