କରୋନା କାଳରେ କେମିତି ହେବ ପାଠପଢା ଓ ପରୀକ୍ଷା ? ୨୦୨୧-୨୨ ଦଶମ ଓ ଦ୍ୱାଦଶ ପାଇଁ ଖସଡା ଘୋଷଣା କଲା ସିବିଏସଇ; ଦୁଇଟି ଟର୍ମରେ ହେବ ପରୀକ୍ଷା

182

କନକ ବ୍ୟୁରୋ : କରୋନା କାଳରେ କେମିତି ହେବ ପାଠପଢ଼ା ଓ ପରୀକ୍ଷା । ୨୦୨୧-୨୨ ଶିଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖସଡ଼ା ଘୋଷଣା କରିଛି ସିବିଏସଇ । ଦୁଇଟି ଟର୍ମରେ ପୂରା ପାଠ୍ୟକ୍ରମକୁ ଭାଗ କରି ଦିଆଯାଇଛି । ପ୍ରତି ଟର୍ମରେ ରହିବ ୫୦ ପ୍ରତିଶତ ସିଲାବସ୍ । ଆଉ ପ୍ରତି ଟର୍ମ ଶେଷରେ ପରୀକ୍ଷା କରାଯିବ । ଉଭୟ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ।

ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ପାଇଁ ସିବିଏସ୍‌ଇ ପକ୍ଷରୁ ପ୍ରଶ୍ନପତ୍ର ସହ ମାର୍କିଂ ପଦ୍ଧତି ସ୍କୁଲଗୁଡ଼ିକୁ ପଠାଇବ । ଏକ୍ସଟରନାଲ ସୁପରି‌ନ୍‌ଟେଣ୍ଡେଣ୍ଟ ଓ ସିବିଏସ୍‌ଇ ଦ୍ବାରା ନିଯୁକ୍ତ ନୀରକ୍ଷକଙ୍କ ତତ୍ତ୍ବାବଧାନରେ ପରୀକ୍ଷା ହେବ। ଟର୍ମ-୧ ପରୀକ୍ଷା ନଭେମ୍ବର ଓ ଡିସେମ୍ବର ମାସରେ କରିବାକୁ ସ୍ଥିର ହୋଇଛି । ୫୦% ସିଲାବସ୍‌ ଶେଷ ହେବା ପରେ ଟର୍ମ ପରୀକ୍ଷା ହେବ । ପରୀକ୍ଷାଗୁଡ଼ିକର ସମୟ ଅବଧି ୯୦ ମିନିଟ୍‌ ରହିବ । ପ୍ରଶ୍ନପତ୍ରରେ ମଲ୍‌ଟିପୁଲ୍‌ ଚଏସ୍‌ ପ୍ରଶ୍ନ ଆସିବ । ୪ରୁ ୮ସପ୍ତାହ ଧରି ଦେଶ ଓ ବିଦେଶରେ ଥିବା ସିବିଏସ୍‌ଇ ଅଧୀନ ବିଦ୍ୟାଳୟରେ ପରୀକ୍ଷା ଅନୁଷ୍ଠିତ ହେବ ।

ସେହି ଅନୁଯାୟୀ ବୋର୍ଡ ପକ୍ଷରୁ ସ୍କୁଲଗୁଡ଼ିକୁ ତା‌ରିଖ ଜଣାଇ ଦିଆଯିବ । ସେହିପରି ଟର୍ମ-୨ ପରୀକ୍ଷା ମାର୍ଚ୍ଚ ଓ ଏପ୍ରିଲରେ କରାଯିବ । ବାକି ୫୦% ସିଲାବସ୍‌ ଆଧାରରେ ପ୍ରଶ୍ନପତ୍ର ଆସିବ । ଦୁଇ ଘଣ୍ଟା ଅବଧିର ଏହି ପରୀକ୍ଷାରେ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ଯଦି କରୋନା ସ୍ଥିତିରେ ସୁଧାର ନ ଆସେ, ‌ ଶେଷ ମୁହୂର୍ତ୍ତରେ ୯୦ ମାର୍କର ମଲଟିପୁଲ୍‌ ଚଏସ୍‌ର ପରୀକ୍ଷା କରାଯିବ । ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି ହୋଇଥିବା ସଂକ୍ଷିପ୍ତ ସିଲାବସ୍‌ ଅନୁସାରେ ପାଠପଢ଼ା ହେବ।

କରୋନା ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିବେ । ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଟ୍‌ ଟେଷ୍ଟ କରାଇବେ । ବର୍ଷ ସାରା ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଆସେସ୍‌ମେଣ୍ଟ ଆଧାରରେ ଛାତ୍ରଛାତ୍ରୀଙ୍କ ଚରିତ୍ର ପଞ୍ଜିକା ପ୍ରସ୍ତୁତ କରିବେ । ସିବିଏସ୍‌ଇ ଆଇଟି ପ୍ଲାଟଫର୍ମରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ମାର୍କଗୁଡ଼ିକ ଦାଖଲ କରିବେ। ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବ୍ୟାଙ୍କ ଯୋଗାଇ ଦିଆଯିବ । ଏଥିସହ ଶିକ୍ଷକ ତାଲିମ୍‌ କାର୍ଯ୍ୟକ୍ରମ ମଧ୍ୟ କରାଯିବ ।

ଯଦି ଶିକ୍ଷାବର୍ଷ ଭିତରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରେ, ତେବେ କେଉଁ ପଦ୍ଧତିରେ ପରୀକ୍ଷା କରାଯିବ, ସେନେଇ ସିବିଏସ୍‌ଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି । ଶିକ୍ଷାବିତ୍‌, ଘରୋଇ ଓ ସରକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବ୍ୟାପକ ବିଚାରବିମର୍ଶ କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।