ସିବିଏସଇର କଡା ନିଷ୍ପତ୍ତି ! ଏବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ ହେବ ସ୍ପୋର୍ଟସ୍ କ୍ଲାସ୍  ।

57

ସିବିଏସଇ ସ୍କୁଲଗୁଡ଼ିକରେ ପଢୁଥିବା ନବମ ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲାମାନଙ୍କ ପାଇଁ ଦୈନିକ ସ୍ୱାସ୍ଥ୍ୟ,ଶିକ୍ଷା ଏବଂ ଶାରୀରିକ ଶିକ୍ଷା କ୍ଲାସ୍ ବାଧ୍ୟତାମୂଳକ କରାଯାଇଛି। ଏହା ଏକ ଯୋଗ୍ୟତା ଭିତ୍ତିକ ଶିକ୍ଷା ହୋଇଥିବାରୁ ଏଥିପାଇଁ ଗ୍ରେଡ୍ ଦିଆଯିବ। ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବା ପାଇଁ ଏହି ଗ୍ରେଡ୍ ବାଧ୍ୟତାମୂଳକ ହେବ। ବୋର୍ଡ ଜାରି କରିଥିବା ନୂଆ ନିୟମ ଅନୁସାରେ, ସ୍କୁଲମାନଙ୍କରେ ସବୁ ଶ୍ରେଣୀ ପାଇଁ ଦୈନିକ ଖେଳକୁଦ ବା ସ୍ପୋର୍ଟସ୍ ପିରିୟଡ୍ ରଖାଯିବ। ଏହି ସ୍ପୋର୍ଟସ୍ ପିରିୟଡରେ ଛାତ୍ରଛାତ୍ରୀମାନେ ଖେଳପଡ଼ିଆକୁ ଯିବାକୁ ପଡ଼ିବ। ସେଠାରେ ସେମାନେ ନିଜ ଇଚ୍ଛା ପ୍ରମାଣେ ମାନ୍ୟୁଆଲରେ ଥିବା ଶାରୀରିକ ଶିକ୍ଷାରୁ ଯାହାକୁ ବାଛି ପାରିବେ। ସେହି ଖେଳ ବା ଶାରୀରିକ ଶିକ୍ଷାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କର ଦକ୍ଷତା ଭିତ୍ତିରେ ତାଙ୍କୁ ଗ୍ରେଡ୍ ଦିଆଯିବ।ଜଣେ ବରିଷ୍ଠ ବୋର୍ଡ ଅଧିକାରୀଙ୍କ କହିବାନୁସାରେ, ସ୍କୁଲ୍ ପିଲାମାନଙ୍କ ମଧ୍ୟରୁ ମେଦବହୁଳତା ହଟାଇବାକୁ ଏ ଭଳି ପଦକ୍ଷେପ ନିଆଯାଇଛି। ପୂର୍ବେ ସ୍କୁଲଗୁଡ଼ିକରେ ଉଚ୍ଚ ଶ୍ରେଣୀମାନଙ୍କରେ କାର୍ୟ୍ୟ ଅଭିଜ୍ଞତା ଏବଂ ଶାରୀରିକ ଶିକ୍ଷା ରଖାଯାଉଥିଲା। ଏବେ ତାହାକୁ ସ୍ପୋର୍ଟସ୍ ଏବଂ ଶାରୀରିକ ଶିକ୍ଷା ଶ୍ରେଣୀରେ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ଗୋଟାଏ ପିରିୟଡ୍ ରଖାଯିବ। କିନ୍ତୁ, ଏଥିରେ କୌଣସି ପରୀକ୍ଷା ନିଆଯିବ ନାହିଁ। ଏହି ପିରିୟଡ୍ ଗୁଡ଼ିକରେ କି ପ୍ରକାର କ୍ରୀଡ଼ା ରଖାଯିବ ତାହା ସମ୍ପୃକ୍ତ ସ୍କୁଲ୍ ଚୟନ କରିବାର ସୁବିଧା ରହିଛି। ଏଥିପାଇଁ ବୋର୍ଡ ୧୫୦ ପୃଷ୍ଠା ସମ୍ବଳିତ ସ୍ପୋର୍ଟସ୍ ଗାଇଡଲାଇନ୍ ଆଣ୍ଡ୍ ମେଥଡଲୋଜି ପ୍ରସ୍ତୁତ କରିଛି। ଶିକ୍ଷାବର୍ଷ ୨୦୧୮-୧୯ର କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିବା ବେଳେ ହେଲଥ ଆଣ୍ଡ୍ ଫିଜିକାଲ୍ ଏଜୁକେସନ୍ ପାଇଁ ଗୋଟାଏ ପିରିୟଡ୍ ସଂରକ୍ଷିତ ରଖିବାକୁ ବୋର୍ଡ ସବୁ ସ୍କୁଲକୁ ଗତ ମାସରେ କହିଥିଲା।ପିଲାମାନଙ୍କର ପାରଦର୍ଶୀତା କେବଳ ସମ୍ପୃକ୍ତ ସ୍କୁଲ୍ର ଶିକ୍ଷକମାନେ ହିଁ ମୂଲ୍ୟାୟନ କରିବେ। ଏହି ଗ୍ରେଡ୍ ବା ମାର୍କ ସବୁକୁ ସ୍କୁଲ୍ ସିବିଏସ୍ଇ ୱେବସାଇଟରେ ଦାଖଲ କରିବେ। ଏହି ମାର୍କ ବା ଗ୍ରେଡ୍ ଫାଇନାଲ୍ ରେଜଲ୍ଟରେ ମିଶା ଯିବ ନାହିଁ ସତ କିନ୍ତୁ, ବୋର୍ଡ ପରୀକ୍ଷା ଦେବାକୁ ଯୋଗ୍ୟ ହେବା ପାଇଁ ବାଧ୍ୟତାମୂଳକ ହେବ। ଏହି ପିରିୟଡ୍ ପାଇଁ ସ୍କୁଲ୍ କୌଣସି ପିଇଟି ନିଯୁକ୍ତି କରିବେ ନାହିଁ। ସମ୍ପୃକ୍ତ ସ୍କୁଲର ଯେ କୌଣସି ଶିକ୍ଷକ ଏହାକୁ ପରିଚାଳନା ଏବଂ ମୂଲ୍ୟାୟନ କରିବାକୁ ଯୋଗ୍ୟ ବିବେଚିତ ହୋଇ ପାରିବେ।