ସିବିଏସଇର ପୁଣିଥରେ ପରୀକ୍ଷା ନିଷ୍ପତିକୁ ଛାତ୍ରଛାତ୍ରୀଙ୍କ ବିରୋଧ ! କହିଲେ, ଭବିଷ୍ୟତ ସହ ଖେଳୁଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ

27

କନକ ବ୍ୟୁରୋ : ପୁଣି ପରୀକ୍ଷା ଦେବାକୁ ପଡିବ ସିବିଏସଇ ଛାତ୍ରଛାତ୍ରୀଙ୍କୁ । ଏନେଇ ନୋଟିସ ଆସିବା ପରେ ଏବେ ଚାପରେ ଛାତ୍ରଛାତ୍ରୀ । ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ପୁଣି ଆଗକୁ ସଂସ୍କୃତ ପରୀକ୍ଷା ଥିବାରୁ କିଭଳି ଆଉଥରେ ଗଣିତ ପରୀକ୍ଷାର ପ୍ରସ୍ତୁତି କରିବେ ସେନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । ସେପଟେ ଦିଲ୍ଲୀରେ ଧରାପଡିଛି କପିର ମାଷ୍ଟର ମାଇଣ୍ଡ ।

ପରୀକ୍ଷା ଦେଇ ଫେରିବା ପରେ ଯଦି କୁହାଯାଏ, ପୁଣି ଥରେ ପରୀକ୍ଷା ଦେବାକୁ ହେବ । ଆଉ ଏଥିରେ ଛାତ୍ରଛାତ୍ରୀଙ୍କ ଯେଉଁ ମାନସିକ ସ୍ଥିତି ହେବ, ଠିକ୍ ସେହି ସ୍ଥିତି ସୃଷ୍ଟି ହୋଇଛି ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର । ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଦମଶ ଶ୍ରେଣୀର ଗଣିତ ଏବଂ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ବିଷୟରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ସିବିଏସଇ କର୍ତୃପକ୍ଷ । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ପାଲଟି ଯାଇଛି ଦୁଃସ୍ୱପ୍ନ ।

ଏବେ ସିବିଏସଇ ପକ୍ଷରୁ କୁହାଯାଇଛି-ଗୋଟିଏ ସପ୍ତାହ ଭିତରେ ପୁଣି ଗଣିତ ଏବଂ ଅର୍ଥନୀତି ବିଷୟର ପରୀକ୍ଷା ପାଇଁ ତାରିଖ ଘୋଷଣା ହେବ । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଯେତେ ଚାପରେ ଥିଲେ, ପିଲାଙ୍କ ପ୍ରସ୍ତୁତି ନେଇ ଅଭିଭାବକମାନେ ବି ଦିନରାତି ଏକ କରିଦେଇଥିଲେ । ପରୀକ୍ଷା ସରିବା ପରେ ବୁଲାବୁଲି ପାଇଁ ବି ପ୍ରସ୍ତୁତି ହୋଇଥିଲା । ହେଲେ ସବୁ ଫସର ଫାଟି ଯାଇଛି ।

ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖିବାକୁ ମିିଳିଛି । ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟ ସାମ୍ନାରେ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଭିନ୍ନ ଛାତ୍ରସଂଗଠନ ଏବଂ ଅଭିଭାବକ ସଂଗଠନ ପୁଣି ଥରେ ପରୀକ୍ଷା ନିଷ୍ପତିକୁ ବିରୋଧ କରିଛନ୍ତି । ଏପଟେ କୋଶ୍ଚିନ୍ ଲିକ୍ ଘଟଣାରେ ଏକ କୋଚିଙ୍ଗ ସେଂଟରର ଜଣେ ମାଷ୍ଟରମାଇଣ୍ଡକୁ ହେପାଜତକୁ ନେଇଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍ । ଏମିତିକି ୩୪ଜଣ ଛାତ୍ରଛାତ୍ରୀଙ୍କୁ ପଚରାଉଚୁରା କରୁଛି କ୍ରାଇମ୍ବ୍ରାଂଚ୍ । ଆପଣଙ୍କର ମନେ ଥିବ ଠିକ୍ ସିବିଏସଇ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ଚାପରେ ନରହିବାକୁ ପରାମର୍ଶ ଦେଇଥିଲେ । ହେଲେ ପରୀକ୍ଷା ବ୍ୟବସ୍ଥାରେ ଯଦି ଏଭଳି ସମସ୍ୟା ସବୁ ସାମ୍ନାକୁ ଆସିବ, ତାହେଲେ ପିଲା ଚାପରେ ରହିବେ ନା ନାହିଁ, ତାହା ସହଜରେ ଅନୁମାନ କରିହେବ ।