ପୁଣି ଓଡିଆ ଭାଷାକୁ ଉପେକ୍ଷା କଲା ସିବିଏସଇ ।  ହିିନ୍ଦୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଗଲା ୪ ଦିନ ସମୟ, ହେଲେ ଓଡିଆ ଭାଷା ପରୀକ୍ଷା ପାଇଁ ଦିନୁଟିଏ ବି ମିଳିଲାନି ।

298

କନକ ବ୍ୟୁରୋ : ଓଡିଆ ଭାଷା ପ୍ରତି ସିବିଏସଇର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଦୌ ସମୟ ଦିଆଯାଇ ନାହିଁ । ଶୁକ୍ରବାର ଗଣିତ ପରୀକ୍ଷା ଥିବାବେଳେ, ଶନିବାର ଦିନ ଓଡିଆ ପରୀକ୍ଷା ଅଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପରୀକ୍ଷା ସୂଚୀରେ କୌଣସି ବିଷୟକୁ ଏଭଳି ଭାବେ ସ୍ଥାପିତ କରାଯାଇ ନାହିଁ । ହିନ୍ଦୀ ପରୀକ୍ଷା ପୂର୍ବରୁ ୪ଦିନ ସମୟ ଦିଆଯାଇଛି । ପ୍ରଶ୍ନ ଉଠୁଛି ଆଂଚଳିକ ଭାଷାଗୁଡିକ ପ୍ରତି ସିବିଏସଇ ଏଭଳି ଆଭିମୁଖ୍ୟ କାହିଁକି ପୋଷଣ କରୁଛି ?

 ସିବିଏସଇ ଦଶମ ଶ୍ରେଣୀ ପାଇଁ ଜାରି ହୋଇଥିବା ପରୀକ୍ଷା ସୂଚୀ ଅନୁଯାୟୀ,  ଶୁକ୍ରବାର ହେବାକୁ ଯାଉଛି ଓଡିଆ ଭାଷା ପରୀକ୍ଷା । ଏହା ପୂର୍ବରୁ ଗୁରୁବାର ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଛନ୍ତି । ଗଣିତ ପରୀକ୍ଷା ପର ଦିନ ଓଡିଆ ପରୀକ୍ଷା ରଖିବାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଏହି ଇଂରାଜୀ ମିଡିୟମ ସ୍କୁଲ ପରୀକ୍ଷାରେ ହିନ୍ଦୀ ଭାଷା ପରୀକ୍ଷା ପୂର୍ବରୁ ୪ ଦିନ ବ୍ୟବଧାନ ରହିଛି । କିନ୍ତୁ ଓଡିଆ ଭାଷା ପାଇଁ ଗୋଟିଏ ବି ଦିନ ବ୍ୟବଧାନ ନରହିବାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟରେ ପ୍ରାୟ ୩୫ ହଜାର ଛାତ୍ରଛାତ୍ରୀ ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ଓଡିଆ ବିଷୟକୁ ନିଜର ଦ୍ୱିତୀୟ ଭାଷା ରୂପେ ବାଛିଛନ୍ତି । ଦୁଇଟି ବିଷୟର ପରୀକ୍ଷା ମଧ୍ୟରେ ଥିବା ବ୍ୟବଧାନ ସର୍ବାଧିକ ୪ ଦିନ ରହିଛି । କିନ୍ତୁ କେଉଁ ଆଧାରରେ ଗଣିତ ପରୀକ୍ଷା ପର ଦିନ ଓଡିଆ ଭାଷା ପରୀକ୍ଷା ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ, ତାହା ଏବେ ପ୍ରଶ୍ନ ଘେରରେ ?

ଇଂରାଜୀ ମିଡିୟମ ସ୍କୁଲରେ ଓଡିଆ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣତଃ ଭୟ ରହିଥାଏ । ଓଡିଆ ବିଷୟ ନେଲେ କମ୍ ମାର୍କ ମିଳିବ ବୋଲି ଗୋଟିଏ ଧାରଣା ରହିଛି । କିନ୍ତୁ ଓଡିଶା ଭଳି ରାଜ୍ୟରେ ଏଭଳି ଦ୍ୱନ୍ଦ୍ୱ ଓଡିଆ ଭାଷାକୁ ଗୌଣ କରିବାର ସମ୍ଭାବନା ରହିଛି । ଆଉ ସିବିଏସଇର ଏପରି ପରୀକ୍ଷା ସୂଚୀ ମଧ୍ୟ ଏହାକୁ ଖୋରାକ୍ ଯୋଗାଉଛି ।