ଓଡ଼ିଶାରେ ଓଡ଼ିଆ ଭାଷାକୁ ଗୌଣ କରିବା ନେଇ ବଢୁଛି ବିବାଦ । ଭାଷା ସଙ୍ଗଠନର ଚେତାବନୀ, CBSE ନିଷ୍ପତି ପରିବର୍ତ୍ତନ ନକଲେ ବ୍ୟାପକ ହେବ ଆନ୍ଦୋଳନ ।

175

କନକ ବ୍ୟୁରୋ : ଓଡିଶାରେ ଓଡିଆ ଭାଷା ସିବିଏସଇ ନଜରରେ ଗୌଣ ହେବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକାଧିକ ଭାଷା ସଂଗଠନ ନିଷ୍ପତିର ପ୍ରତ୍ୟାହାର ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସିବିଏସଇର ସ୍ପଷ୍ଟିକରଣ ଆସିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇପାରୁନି । କାରଣ ସ୍ଥାନୀୟ ଭାଷାକୁ ନଜର ଅନ୍ଦାଜ କରିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

ସିବିଏସଇ ନିଷ୍ପତିକୁ ନେଇ ବଢ଼ୁଛି ଅସନ୍ତୋଷ । ବିରୋଧ କରିବାକୁ ଭାଷା ସଂଗଠନର ଚେତାବନୀ । ସିବିଏସଇ ମାପଦଣ୍ଡରେ ଓଡିଆ ଭାଷାକୁ ଗୌଣ କରିବା ପ୍ରସଙ୍ଗକୁ ନେଇ ତେଜୁଛି ଅସନ୍ତୋଷ । ସିବିଏସଇ ନିଷ୍ପତ୍ତିର ପୁନଃବିଚାର ନକଲେ, ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଉତ୍କଳ ସମ୍ମିଳନୀ ସଭାପତି । କହିଛନ୍ତି, ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ସିବିଏସଇ ଓଡିଆ ଭାଷା ସମ୍ପର୍କରେ କିଛି ଜାଣିନାହାନ୍ତି । ନିଜ ଅଜ୍ଞତାର ପରିଚୟ ଦେଇଛି ସିବିଏସଇ । ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖାଯିବ । କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସିବିଏସଇର ଏଭଳି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ସିବିଏସଇ ପରିଚାଳିତ ଇଂରାଜୀ ମିଡିୟମ ସ୍କୁଲରେ ଓଡ଼ିଆ ଭାଷା ଏକ ଗୌଣ ବିଷୟ ଭାବେ ପରିଗଣିତ ହୋଇଛି । ଯାହା ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି । ସିବିଏସଇର ଏଭଳି ନିଷ୍ପତିକୁ ନେଇ ଅସନ୍ତୋଷ ବଢ଼ୁଥିବାବେଳେ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏ ନେଇ ଅବଗତ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷା ଚାଲିଛି । ହେଲେ ଏହି ପରୀକ୍ଷାରେ ଆଂଚଳିକ ଭାଷାଗୁଡିକୁ ଗୌଣ ଦର୍ଶାଯାଇ ବର୍ଗୀକରଣ କରାଯାଇଛିି । ଆଉ ଗୌଣ ବିଷୟ ଭାବେ ଓଡ଼ିଶାରେ ରହିଛି ଓଡ଼ିଆ । ଦଶମ ଶ୍ରେଣୀ ପ୍ରଥମ ଟର୍ମ ବୋର୍ଡ ପରୀକ୍ଷା ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୭ ତାରିଖ ଯାଏଁ ଚାଲିବ । ନଭେମ୍ବର ୨୯ରେ ଓଡ଼ିଆ ରହିଛି ।