ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ପରୀକ୍ଷା ନେଇ ହେବ ଶୁଣାଣି

262

କନକ ବ୍ୟୁରୋ : ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଦିନ ୧୧ଟାରେ ଏନେଇ ଶୁଣାଣି କରିବେ ଜଷ୍ଟିସ ଏଏମ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଦୁଇଜଣିଆ ଖଣ୍ଡପୀଠ । ମେ’ ୨୮ ତାରିଖରେ ଏହି ମାମଲାର ଶୁଣାଣି କରି ଆଜି ପାଇଁ ଘୁଂଚାଇ ଦେଇଥିଲେ କୋର୍ଟ । ସିବିଏସଇ ଓ ଆଇସିଏସଇ ବୋର୍ଡ ସହ କେନ୍ଦ୍ର ସରକାରଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦେଇଥିଲେ ।

କରୋନା ମହାମାରୀ ସମୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ଆବେଦନ କରିଛନ୍ତି ସୁପ୍ରିମକୋର୍ଟର ଆଇନଜୀବୀ ମମତା ଶର୍ମା । ଆବେଦନରେ ସେ ପରୀକ୍ଷା ବାତିଲ କରିବା ସହ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରି ଛାତ୍ରଛାତ୍ରୀଙ୍କୁ ଉତୀର୍ଣ୍ଣ କରିବା ପାଇଁ ଅନୁରୋଧ କରିଛନ୍ତି । ସେପଟେ ସିବିଏସଇ ଦ୍ୱାଦଶ ପରୀକ୍ଷା ନେଇ ଆଗାମୀ କାଲି କିଛି ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଏନେଇ ବିଭିନ୍ନ ରାଜ୍ୟ ସହ ଆଲୋଚନା କରି ସେମାନଙ୍କଠଆରୁ ପ୍ରସ୍ତାବ ନେଇଛି କେନ୍ଦ୍ର । ପୂର୍ବରୁ ମେ’ ୨୫ରେ ସିବିଏସଇ ଦ୍ୱାଦଶ ପରୀକ୍ଷା କରିବା ନେଇ କେନ୍ଦ୍ରର ନିଷ୍ପତ୍ତି ପ୍ରସଙ୍ଗରେ ରାଜ୍ୟଗୁଡିକ ସେମାନଙ୍କ ମତାମତ ଦେଇସାରିଛନ୍ତି ।