ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ : ଦଶମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ଆଧାରରେ ପ୍ରସ୍ତୁତ ହେବ ରେଜଲ୍ଟ । ଜୁଲାଇ ୩୧ ରେ ଫଳାଫଳ ଘୋଷଣା ।

186

କନକ ବ୍ୟୁରୋ : ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ମାର୍କସିଟ୍ ପ୍ରସ୍ତୁତ କରିବାକୁ ତିଆରି ହୋଇଥିବା ୧୩ ସଦସ୍ୟ ବିଶିଷ୍ଟ ସମିତି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟରେ କୁହାଯାଇଛି କି ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାଫଳ ପ୍ରକାଶ କରାଯିବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଟନୀ ଜେନରାଲ କହିଛନ୍ତି କି ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୩୧ ରେ ପ୍ରକାଶ କରାଯିବ ।

ସିବିଏସଇ ତରଫରୁ କୁହାଯାଇଛି କି, ୧୦ମ ଶ୍ରେଣୀର ୫ ଟି ବିଷୟରୁ ୩ ଟି ବିଷୟରେ ସବୁଠାରୁ ଭଲମାର୍କକୁ ଦ୍ୱାଦଶ ଶ୍ରେଣୀ ଫାଇନାଲ ମାର୍କର ଆଧାର କରାଯିବ । ଏହାସହ ଏକଦଶ ଶ୍ରେଣୀର ୫ ଟି ବିଷୟରୁ ହାରାହାରି ମାର୍କ ନିଆଯିବ । ଏହାସହ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ଓ ପ୍ରାକ୍ଟିକାଲ ନମ୍ବର ନିଆଯିବ । ଦଶମ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ପ୍ରି ବୋର୍ଡ ପରୀକ୍ଷା ମାର୍କରୁ ୪୦ ପ୍ରତିଶତ ଆଧାରରେ ମାର୍କସିଟ୍ ପ୍ରସ୍ତୁତ କରାଯିବ ।

ସୁପ୍ରିମକୋର୍ଟ ସିବିଏସଇକୁ କହିଛନ୍ତି କି ପରିଣାମ ସମିତି ପରୀକ୍ଷାର ବିଶ୍ୱସନୀୟତାକୁ ଆଧାର କରି ନିଷ୍ପତ୍ତି କରିଛି । ସ୍କୁଲମାନେ ପ୍ରି ବୋର୍ଡ ପରୀକ୍ଷାରେ ପିଲାମାନଙ୍କୁ ଅଧିକ ମାର୍କ ଦେଇଥାନ୍ତି । ସିବିଏସଇର ହଜାରେ ସ୍କୁଲରେ ପ୍ରତ୍ୟେକ ସ୍କୁଲର ପରିଣାମ କମିଟି ପ୍ରସ୍ତୁତ ହେବ । ସ୍କୁଲର ୨ ଜଣ ବରିଷ୍ଠ ଶିକ୍ଷକ ଓ ପଡୋଶୀ ସ୍କୁଲର ଶିକ୍ଷକଙ୍କୁ ନେଇ ଏକ କମିଟି ପ୍ରସ୍ତୁତ ହେବ । ସେହି କମିଟି ଛାତ୍ର ଛାତ୍ରୀମାନଙ୍କର ୩ ବର୍ଷର ପରୀକ୍ଷା ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ଫାଇନାଲ ମାର୍କସିଟ୍ ପ୍ରସ୍ତୁତ କରିବେ ।