ଚଳନ ଶକ୍ତି ହରାଇଛନ୍ତି, ହେଲେ ମନରେ ଅସୀମ ଇଚ୍ଛା ଶକ୍ତି । ସିବିଏସଇ ଯୁକ୍ତ ୨ ଲିଗାଲ ଷ୍ଟଡିଜରେ ଶତ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓଡିଆ ପୁଅ କେଶବ ଚନ୍ଦ୍ର ପୃଷ୍ଟି

117

କନକ ବ୍ୟୁରୋ: ବାତ୍ୟା ସଂପର୍କୀତ ଖବର ଭିତରେ ଆମେ ଏପରି ଜଣେ ମେଧାବୀ ଛାତ୍ରଙ୍କ ସଫଳତାର କାହାଣୀ ଆଲୋଚନା କରୁଛୁ, ଯାହାକୁ ଜାଣିଲେ ଓଡ଼ିଆ ହିସାବରେ ଆପଣ ଗର୍ବ ଅନୁଭବ କରିବେ । ଦିଲ୍ଲୀରେ ରହୁଥିବା ଯାଜପୁର ଦଶରଥପୁରର ଏହି ମେଧାବୀ ଛାତ୍ର ହେଉଛନ୍ତି କେଶବ ଚନ୍ଦ୍ର ପୃଷ୍ଟି । ଚଳନ ଶକ୍ତି ହରାଇଛନ୍ତି, ହେଲେ ମନରେ ଅସୀମ ତାଙ୍କର ଇଚ୍ଛା ଶକ୍ତି । ନିଜର କଠୋର ଅଧ୍ୟବସାୟ ବଳରେ ସିବିଏସଇ ଯୁକ୍ତ ୨ ଲିଗାଲ ଷ୍ଟଡିଜରେ ୧୦୦ରୁ ୧୦୦ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେଶବ ।

ଦୃଢ଼ ଇଚ୍ଛାଶକ୍ତି, କଠୋର ଅଧ୍ୟବସାୟ ବଳରେ ଅସମ୍ଭବ ଯେ ସମ୍ଭବ ହୋଇପାରେ ଏହି ମେଧାବୀ ଛାତ୍ରଙ୍କ ସଫଳତା ଦେଖିଲେ ବିଶ୍ୱାସ ଆସିଯିବ । ଏ ହେଉଛନ୍ତି କେଶବ ଚନ୍ଦ୍ର ପୃଷ୍ଟି । ପିଲା ବେଳୁ ଦୂରାରୋଗ୍ୟ ବ୍ୟାଧିରେ ପଡ଼ି ହରାଇଛନ୍ତି ଚଳନ ଶକ୍ତି । ହ୍ୱିଲ୍ ଚେୟାର୍ ହିଁ ତାଙ୍କର ଭରସା । ତେବେ ଏତେ ପ୍ରତିବନ୍ଧକ ତାଙ୍କର ଇଚ୍ଛାଶକ୍ତି ଆଗରେ ହାର ମାନିଛି । ସିବିଏସଇ ଯୁକ୍ତ ୨ ଲିଗାଲ ଷ୍ଟଡିଜରେ ୧୦୦ରୁ ୧୦୦ ନମ୍ବର ରଖି ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।ନୂଆଦିଲ୍ଲୀର ଚାଣକ୍ୟପୁରୀରେ ଥିବା ସଂସ୍କ୍ରିତି ସ୍କୁଲର ଛାତ୍ର କେଶବ । ଘର ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ । ବାପା ଡକ୍ଟର ପିକେ ପୃଷ୍ଟି ଅର୍ଥ ମନ୍ତ୍ରାଳୟର ଯୁ୍ଗ୍ମ ସଚିବ, ମାଆ ରୁକ୍ମଣୀ ପୃଷ୍ଟି ପୂର୍ବରୁ ଶିକ୍ଷକତା କରୁଥିଲେ, ଏବେ କେଶବଙ୍କ ପାଠପଢ଼ାରେ ପୂରା ସମୟ ଦେଉଛନ୍ତି । ପୁଅ କେଶବଙ୍କ ବିରଳ କୃତି ଯୋଗୁଁ ବାପାମାଆଙ୍କ ଖୁସି କହିଲେ ନସରେ ।

 

ଲିଗାଲ ଷ୍ଟଡିଜରେ ଶତ ପ୍ରତିଶତ ନମ୍ବର ରଖିଥିବା କେଶବଙ୍କ ସାମଗ୍ରିକ ଭାବେ ୯୬.୫ ପ୍ରତିଶତ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ଚାଲିବାକୁ ସକ୍ଷମ ନଥିଲେ ବି ତାଙ୍କର ମେଧା ଶକ୍ତି ଅତୁଳନୀୟ । ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ହେବା ତାଙ୍କ ଜୀବନର ଲକ୍ଷ୍ୟ ।  ହ୍ୱିଲ ଚେୟାରରେ ଜୀବନ ବିତୁଥିଲେ ବି କେବେ ବି ନିଜକୁ ଅସମର୍ଥ ଭାବି ନାହାନ୍ତି କେଶବ । ଏପରି ପ୍ରତିବନ୍ଧକ କେବେ ବି ତାଙ୍କୁ ଲକ୍ଷ୍ୟଚ୍ୟୁତ କରିପାରିନାହିଁ । ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ ପାହାଡ଼ ଲଂଘିବା ଅସମ୍ଭବ ନୁହେଁ ବୋଲି ପ୍ରମାଣ କରିପାରିଛନ୍ତି କେଶବ ।