ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର ଖାତା ଦେଖା ଆରମ୍ଭ: କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମଧ୍ୟରେ ନିଜ ଘରେ ଖାତା ଦେଖିପାରିବେ ଶିକ୍ଷକ

୩୦୦୦ ମୂଲ୍ୟାୟନ କେନ୍ଦ୍ର ସ୍କୁଲ ଖୋଲିବାକୁ ଦିଆଯାଇଛି ଅନୁମତି

369

କନକ ବ୍ୟୁରୋ: ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଖାତା ଦେଖା ଆରମ୍ଭହେବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଏନେଇ ଦେଶର ୩ ହଜାର ସ୍କୁଲକୁ ଖାତାଦେଖା କେନ୍ଦ୍ର ଭାବେ ଘୋଷଣା କରାଯାଇଛି ଏବଂ ସେଠାକୁ ସ୍ୱତନ୍ତ୍ର ଗାଡିରେ ଖାତା ପହଂଚାଯିବ । ଏହା ସହ କେତେକ ଶିକ୍ଷକ ନିଜ ଘରେ ଖାତା ଦେଖିପାରିବେ । ସେନେଇ ମଧ୍ୟ ସିବିଏସଇ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

କୋଭିଡ-୧୯ ନିୟମାବଳୀ ମଧ୍ୟରେ ଏହି କାମ ହେବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଅନ୍ୟପଟେ କୋଭିଡ କଟକଣା ଯୋଗୁଁ ଦଶମ ଓ ଦ୍ୱାଦଶର କେତେକ ବିଷୟ ପରୀକ୍ଷା ଶେଷ ହୋଇ ନାହିଁ । ଏନେଇ ଆଗାମୀ ଦିନରେ ପରୀକ୍ଷା ସୂଚୀ ପ୍ରକାଶ ପାଇବ ବୋଲି ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ତାହା ଏଯାଏଁ ପ୍ରକାଶ ପାଇ ନାହିଁ ।

ସେପଟେ କରୋନା ପାଇଁ ଲକଡାଉନ୍ ଭିତରେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଖାତା ମୂଲ୍ୟାୟନ ବେଳେ ସାମାଜିକ ଦୂରତା ଅବଲମ୍ବନ କରାଯିବ । ମେ ୧୯ ସୁଦ୍ଧା ସବୁ କେନ୍ଦ୍ରରେ ପହଂଚିବେ ପରୀକ୍ଷା ନିରୀକ୍ଷକ ଏବଂ ଜୁଲାଇ ଶେଷ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ଚେଷ୍ଟା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୧୯ରେ ଖାତା ଦେଖା ହୋଇଥିଲା । ଏହା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା । ଚଳିତ ଥର ରାଜ୍ୟରେ ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।