ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । କେବେ ହେବ ପରୀକ୍ଷା, ଆସନ୍ତା ୩୧ ତାରିଖ ସଂଧ୍ୟା ୬ଟାରେ କରାଯିବ ଘୋଷଣା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

82

କନକ ବ୍ୟୁରୋ : ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । ନୂଆବର୍ଷ ପୂର୍ବରୁ ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେନେଇ ତାରିଖ ଆସିବ । ୨୦୨୧-ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ଶନିବାର ଟୁଇଟ କରି ବଡ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଟୁଇଟ କରି ସେ ଲେଖିଛନ୍ତି, ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିବେ । ମନ୍ତ୍ରୀଙ୍କ ଏହି ସୂଚନା ପରେ ସିବିଏସଇ ପରୀକ୍ଷାକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ତୁଟିବାକୁ ଯାଉଛି । ଦୀର୍ଘ ଦିନରୁ ବୋର୍ଡ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଡିସେମ୍ବର ୩୧ ସନ୍ଧ୍ୟାରେ ଜାଣିବାକୁ ପାଇଁ କେଉଁ ମାସର, କେଉଁ ତାରିଖର ପରୀକ୍ଷା ଆରମ୍ଭ ହେବ ।

ଗତ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ, ସିବିଏସଇ ବୋର୍ଡ ପରୀକ୍ଷା ଜାନୁୟାରୀ କିମ୍ବା ଫେବୃୟାରୀର ୨୦୨୧ ସୁଦ୍ଧା ହେବ ନାହିଁ । କୋଭିଡ କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଥିଲା ଓ ପିଲାଙ୍କ ପାଠ ପଢା ପ୍ରଭାବିତ ହୋଇଛି । ତେଣୁ ବିଚାର ବିମର୍ଶ କରିବା ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଗତ ମଙ୍ଗଳବାର କହିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏବେ ଡିସେମ୍ବର ୩୧ ତାରିଖରେ ପରୀକ୍ଷା ତାରିଖ ଘୋଷଣା ନେଇ ମନ୍ତ୍ରୀଙ୍କ ଟୁଇଟ ଆସିବା ପରେ ବିଚାର ବିମର୍ଶ କରି ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ପ୍ରତିବର୍ଷ ସିବିଏସଇର ବୋର୍ଡ ପରୀକ୍ଷା ଫେବୃୟାରୀ ଓ ମାର୍ଚ ମାସ ସୁଦ୍ଧା ଆରମ୍ଭ ହୋଇଯାଏ । ହେଲେ ଚଳିତ ବର୍ଷ କୋଭିଡ ଯୋଗୁଁ ସ୍ଥିତି ଅଲଗା ରହିିଛି । ପୂର୍ବରୁ ସିବିଏସଇ ସ୍ପଷ୍ଟ କରିସାରିଢି ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ଆୟୋଜିତ ହେବ । ପରୀକ୍ଷା ସମୟରେ କରୋନା ନିୟମ ପାଳନ ସହ ପରୀକ୍ଷାର୍ଥୀଙ୍କ ସମେତ ଶିକ୍ଷକମାନଙ୍କୁ ମଧ୍ୟ ସବୁ ଜରୁରୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।