ସିବିଏସଇର ୯ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ୩୦% କମିଲା ପାଠ୍ୟକ୍ରମ: ୨୦୨୦-୨୧ ପାଇଁ ପାଠ୍ୟକ୍ରମ ସଂଶୋଧନ କଲା ସିବିଏସଇ; ପରୀକ୍ଷାରେ ଆସିବନି ବାଦ୍ ପଡିଥିବା ବିଷୟ

281

କନକ ବ୍ୟୁରୋ: ୩୦ ପ୍ରତିଶତ ହ୍ରାସ ପାଇବ ସିଲାବସ୍ । ନବମରୁ ଦଶମ ଶ୍ରେଣୀ ଯାଏ ସିଲାବସକୁ ସଂଶୋଧନ କରିଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । କୋଭିଡ କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଛି । ଶ୍ରେଣୀଗୃହରେ ଶିକ୍ଷାଦାନ ମଧ୍ୟ ବନ୍ଦ ରହିଛି । ତେଣୁ ସିବିଏସଇ ବୋର୍ଡ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀର ସିଲାବସ ସଂଶୋଧନ କରିବାକୁ ନିଷ୍ପତି ନେଇଛି । ପାଠ୍ୟକ୍ରମରେ କରାଯାଇଥିବା ପରିବର୍ତନ ଗୁଡିକ ପାଠ୍ୟକ୍ରମ କମିଟି ଏବଂ ବୋର୍ଡର ପରିଚାଳନା ପରିଷଦର ଅନୁମୋଦନ କ୍ରମେ ଚୂଡାନ୍ତ ହୋଇଛି ।

ଦେଶର ବିଭିନ୍ନ ସ୍ଥାନରେ ଅସାଧାରଣ ପରିସ୍ଥିତି ହେତୁ ସିଲାବସ ସଂଶୋଧନ ଭଳି ପଦକ୍ଷେପ ନିଆଯାଇଛି । ଶିକ୍ଷାର ସ୍ତର ହାସଲ କରିବାର ମହତ୍ୱକୁ ବିଚାର କରି ଏହି ନିଷ୍ପତି ହୋଇଛି । ସପ୍ତାହେ ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିଲାବସ ଫର ଷ୍ଟୁଡେଂଟସ ୨୦୨୦ ହ୍ରାସ ବିଷୟରେ ଶିକ୍ଷାବିତମାନଙ୍କ ଠାରୁ ପରାମର୍ଶ ଲୋଡିଥିଲେ । ଏ କ୍ଷେତ୍ରରେ ୧୫୦୦ରୁ ଅଧିକ ପରାମର୍ଶ ମିଳିଥିଲା । ସମସ୍ତ ପରାମର୍ଶକୁ ବିଚାର କରି ସିଲାବସକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ଯୁକ୍ତିଯୁକ୍ତ ନିଷ୍ପତି ନିଆଯାଇଛି ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।