ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ରେକର୍ଡ କଲା ବିକଳ୍ପ ମୂଲ୍ୟାୟନ । ସିବିଏସଇ ଦ୍ୱାଦଶ ଶ୍ରେଣୀରେ ୯୯.୩୭ ପ୍ରତିଶତ ପାସ୍ ।

108

କନକ ବ୍ୟୁରୋ: କରୋନା ଭଳି ଅସ୍ୱାଭାବିକ ପରିସ୍ଥିତିରେ ଯେଉଁ ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଥିଲା, ତାର ପରିଣାମ ଆସିଛି । ଆଉ ବହୁ ପ୍ରତିକ୍ଷିତ ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଠିକ୍ ଦିନ ୨ଟା ପରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଚଳିତବର୍ଷ ଏହି ପରୀକ୍ଷାରେ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ । ଯେଉଁଥିରେ ଛାତ୍ରୀଙ୍କ ପାସ ହାର ୯୯.୬୭ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ ହାର ରହିଛି ୯୯.୧୩ ପ୍ରତିଶତ ଅର୍ଥାତ୍ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୦.୫୪ ପ୍ରତିଶତ ଅଧିକ ରହିଛି । ସିବିଏସଇ ଦ୍ୱାଦଶରେ ମୋଟ୍ ୧୩ ଲକ୍ଷ ୪ ହଜାର ୫୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ଆଉ ୭୦,୦୦୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ଉପରେ ମାର୍କ ରଖିଛନ୍ତି । ସେହିପରି ୧ ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ ରୁ ୯୫ ପ୍ରତିଶତ ଭିତରେ ମାର୍କ ରଖିଛନ୍ତି ।

ଏସବୁ ଭିତରେ ୬୫ ହଜାର ୧୮୪ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ । ସେମାନଙ୍କ ନମ୍ବରର ସମୀକ୍ଷା କରାଯାଉଛି । ମାର୍କ ସମୀକ୍ଷା ପରେ ଅଗଷ୍ଟ ୫ ସୁଦ୍ଧା ଏହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ସିବିଏସଇ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରେକର୍ଡ ସଂଖ୍ୟାରେ ଛାତ୍ରଛାତ୍ରୀ ପାସ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୂଚନାେଯୋଗ୍ୟ ଯେ, କରୋନା ଯୋଗୁଁ ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇନଥିଲା ଆଉ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କୁ ମାର୍କ ଦିଆଯାଇଛି ।