କେବଳ ଗୋଟିଏ ବିଷୟରେ ୯୯ ବାକି ସବୁଥିରେ ଶହେ! ସିବିଏସଇ ଦଶମ ପରୀକ୍ଷା ଫଳରେ ୪ଜଣ ହେଲେ ଟପ୍ପର, ରଖିଲେ ୫୦୦ରୁ ୪୯୯ ନମ୍ବର

29

କନକ ବ୍ୟୁରୋ : ସିବିଏସଇ ଦଶମ ପରୀକ୍ଷାରେ ୪ ଜଣ ଟପ୍ପର ହୋଇଛନ୍ତି । ଏହି ୪ ଜଣ ଯାକ ମୋଟ ୫୦୦ରୁ ୪୯୯ ନମ୍ବର ରଖି ସାରା ଦେଶକୁ ଚକିତ କରିଦେଇଛନ୍ତି । ସେମାନେ କେବଳ ଗୋଟିଏ ଗୋଟିଏ ବିଷୟର ୧ ନମ୍ବର କମ୍ ପାଇଛନ୍ତି । ବାକି ସବୁଥିରେ ଶହେରୁ ଶହେ ନମ୍ବର ରଖିଛନ୍ତି । ଏଥର ମଧ୍ୟ ଛାତ୍ରଙ୍କୁ ଟପିଯାଇଛନ୍ତି ଛାତ୍ରୀ । ଆଉ ମୋଟ ପାସ ହାର ରହିଛି ୮୬ ଦଶମିକ ୭ ପ୍ରତିଶତ ।

ପ୍ରଖର ମିତ୍ତଳ, ଡିପିଏସ ଗୁରୁଗ୍ରାମର ଏହି ଛାତ୍ରୀ ଜଣକ ଦଶମ ପରୀକ୍ଷାରେ ମୋଟ ୫୦୦ ନମ୍ବରରୁ ୪୯୯ ନମ୍ବର ରଖିଛନ୍ତି ।କେବଳ ଗୋଟିଏ ବିଷୟ ଫ୍ରେଞ୍ଚରେ ଶହେରୁ ୯୯ ରଖି ଥିବା ପ୍ରଖର ଅନ୍ୟ ସବୁ ବିଷୟରେ ଶହେରୁ ଶହେ ନମ୍ବର ରଖିଛନ୍ତି । ସେହିଭଳି ସ୍କଟିଶ୍ ସ୍କୁଲ ଶାମଲୀର ନନ୍ଦିନୀ ଗର୍ଗ ମଧ୍ୟ ସମାନ ନମ୍ବର ରଖିଛନ୍ତି । ନନ୍ଦିନୀ ଗର୍ଗ ମଧ୍ୟ ୫୦୦ରୁ ୪୯୯ ନମ୍ବର ରଖି ସାରା ଦେଶରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଉଦାହରଣ ପାଳଟିଛନ୍ତି ।

କୋଚିର ଝିଅ ଶ୍ରୀଲକ୍ଷ୍ମୀ ଜୀ ମଧ୍ୟ ୪୯୯ ନମ୍ବର ରଖି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କେବଳ ଗୋଟିଏ ବିଷୟକୁ ଛାଡି ଦେଲେ ଅନ୍ୟ ସବୁ ବିଷୟରେ ଶହେରୁ ଶହେ ନମ୍ବର ରଖିଛନ୍ତି ଶ୍ରୀଲକ୍ଷ୍ମୀ । ସେହିଭଳି ସିବିଏସଇ ଦଶମ ପରୀକ୍ଷାରେ ଆଉ ଜଣେ ଟପ୍ପର ହେଉଛନ୍ତି ଆରପି ପବ୍ଲିକ ସ୍କୁଲ, ବିଜନୌରର ରିମଝିମ୍ ଅଗ୍ରୱାଲ ।ସେ ମଧ୍ୟ ୫୦୦ ରୁ ରଖିଛନ୍ତି ୪୯୯ ନମ୍ବର ।

ଏହି ଚାରିଜଣ ସଫଳ ଛାତ୍ରଛାତ୍ରୀ ପାଠପଢାର ଶୀର୍ଷକୁ କେମିତି ଛୁଇଁ ହୁଏ ତାହାର ଗୋଟିଏ ଗୋଟିଏ ଉଦାହରଣ । ସେମାନଙ୍କ ପାଠପଢା ପ୍ରତି ଥିବା ଏକାଗ୍ରତା ଓ ନିଷ୍ଠା ଏତେ ବଡ ସଫଳତା ଆଣି ଦେଇଛି । ତେବେ ଚଳିତଥର ପୁଣି ଥରେ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି । ଆଜି ପ୍ରକାଶିତ ଦଶମ ପରୀକ୍ଷା ଫଳରେ ମୋଟ ପାସ ହାର ୮୬ ଦଶମିକ ୭୦ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ ହାର ୮୮ ଦଶମିକ ୬୭ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୮୫ ଦଶମିକ ୩୨ ପ୍ରତିଶତ । ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନର ଦଶମ ଶ୍ରେଣୀରେ ୯୨୭ ବିଦ୍ୟାଳୟର ୭୭ ହଜାର ୭୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସହାର ୮୯ ଦଶମିକ ୨୭ ପ୍ରତିଶତ ରହିଛି । ଭୁବନେଶ୍ୱର ରିଜିଅନରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରୀ ସ୍ଥିତିପ୍ରଜ୍ଞା ସାହୁ ୪୯୬ ନମ୍ବର ରଖି ଟପ୍ପର ହୋଇଛନ୍ତି ।