ଜୁନ୍ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ।

324

କନକ ବ୍ୟୁରୋ: ଜୁନ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ୟୁନିଟ ଟେଷ୍ଟ, ହାଫ୍ ଇୟରଲି ପରୀକ୍ଷା, ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ୩ଟି ମାନଦଣ୍ଡ ନେଇ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯିବ । ୟୁନିଟ୍ ପରୀକ୍ଷା ୧୦ ମାର୍କ, ମିଡ୍ ଟର୍ମ ପରୀକ୍ଷା ଅଧାରରେ ୩୦ ମାର୍କ, ପ୍ରି-ବୋର୍ଡ ପରୀକ୍ଷା ଫଳ ଅଧାରରେ ୪୦ ମାର୍କର ମୂଲ୍ୟାୟନ କରାଯିବ । ସିବିଏସଇର ପଲିସି ଅନୁସାରେ ଅବଶିଷ୍ଟ ୨୦ ମାର୍କ, ଇଂଟରନାଲ ଆସେସମେଂଟ କରିବ ସଂପୃକ୍ତ ସ୍କୁଲ । ଇଂଟରନାଲ ରେଜଲ୍ଟ କମିଟି ଗଠନ କରିବାକୁ ପ୍ରତ୍ୟେକ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କମିଟିରେ ପ୍ରିନସିପାଲ୍ ଏବଂ ୭ ଜଣ ଶିକ୍ଷକ ସଦସ୍ୟ ରହିବେ । ଏହି କମିଟିରେ ୨ ଜଣ ସ୍କୁଲ ବାହାର ଶିକ୍ଷକ ରହିବେ । ପ୍ରତ୍ୟେକ ପରୀକ୍ଷାର ଆସେସମେଂଟ କରିବେ ଏହି କମିଟି । ଏହି ଆଧାରରେ ମେ’ ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପରୀକ୍ଷାର ମୂଲ୍ୟାଙ୍କନ ଶେଷ କରିବ ସ୍କୁଲ ଏବଂ ଜୁନ ୫ ସୁଦ୍ଧା ଏହାକୁ ସିବିଏସଇକୁ ପ୍ରଦାନ କରିବ । ୨୦ ମାର୍କର ଇଂଟରନାଲ୍ ଆସେସ୍ମେଂଟ ଜୁନ ୧୧ ସୁଦ୍ଧା ଦେବାକୁ ହେବ । ଜୁନ ୨୦ ତାରିଖରେ ପରୀକ୍ଷା ଫଳ ଘୋଷଣା କରିବ ସିବିଏସଇ ।