ବିଚାରପତିଙ୍କ ଘରେ ଅନଧିକାର ପ୍ରବେଶ ନେଇ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କଲେ ହାଇକୋର୍ଟ ! ସିବିଆଇ, କେନ୍ଦ୍ର ସରକାର ଓ ଓଡ଼ିଶା ପୋଲିସକୁ ପକ୍ଷ ରଖିବାକୁ ନୋଟିସ

41

କନକ ବ୍ୟୁରୋ : ମଙ୍ଗଳବାର ରାତି ପ୍ରାୟ ଗୋଟାଏରୁ ଦୁଇଟା ମଧ୍ୟରେ ଓଡିଶା ହାଇକୋର୍ଟର ବିଚାରପତିଙ୍କ ବାସଭବନରେ ସିବିଆଇ ଅଧିକାରୀଙ୍କ ଅନଧିକାର ପ୍ରବେଶ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ହାଇକୋର୍ଟ । ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଦାୟର ଏକ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି କୋର୍ଟ –କେନ୍ଦ୍ର ସରକାରଙ୍କ ଗୃହ ସଚିବ , ସିବିଆଇର ନିର୍ଦ୍ଦେଶକ , ଡିଆଇଜି ଓ ଏସପିଙ୍କୁ ପକ୍ଷ ରଖିବାକୁ ନୋଟିସ୍ କରିଛନ୍ତି । ସେହିପରି ଓଡିଶା ପୋଲିସ୍ ଡିଜି , ପୋଲିସ୍ କମିଶନର ,କଟକ ଡିସିପି ଓ କ୍ୟାଣ୍ଟନମେଂଟ ଥାନା ଆଇ ଆଇସିଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।

ଗୋଟିଏ ପଟେ ମାମଲା ରୁଜୁ କରି ଓଡିଶା ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ସେପଟେ ହାଇକୋର୍ଟ ମାମଲାକୁ ଗ୍ରହଣ କରିବା ଫଳରେ ସିବିଆଇ ଅଧିକାରୀମାନେ ଅଡୁଆରେ ପଡିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ହାଇକୋର୍ଟ ବାର୍ ଆସୋସିଏସନ୍ ଜନସ୍ୱାର୍ଥ ମାମଲା ଦାୟର କରି କହିଛି ସେଦିନ ରାତିରେ ଆବଶ୍ୟକ ନିୟମାବଳୀ ନମାନି ସିବିଆଇର ଅଧିକାରୀମାନେ ବିଚାରପତିଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ ।
ସମସ୍ତଙ୍କ ଠାରୁ ଉତ୍ତର ପାଇବା ପରେ କୋର୍ଟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କିନ୍ତୁ ପ୍ରଶ୍ନ ଉଠୁଛି –

– ପ୍ରକୃତରେ କଣ ଭୁଲରେ କୁଦ୍ଦୁସୀଙ୍କ ଘର ଭାବି ପଶିଯାଇଥିଲା ସିବିଆଇ ?
– ୭ବର୍ଷ ଧରି କୁଦ୍ଦୁସୀ ଘର ଛାଡିବା ପରେ ବି କେମିତି ଜାଣି ପାରିଲା ନାହିଁ ସିବିଆଇ ?
-ପିସିଆର୍ ଭ୍ୟାନ୍ ଆସିନଥିଲେ କଣ କରିଥାନ୍ତା ସିବିଆଇ ଟିମ୍ ?