କନକ ବ୍ୟୁରୋ: ନିଟ୍ ପେପର ଲିକ୍ ଓ ୟୁଜିସି-ନେଟ୍ ପରୀକ୍ଷା ରଦ୍ଦକୁ ନେଇ ଦେଶରେ ବଡ ବିବାଦ ସୃଷ୍ଟି ହୋଇଥିବା ବେଳେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆଜି ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

Advertisment

ପରବର୍ତ୍ତୀ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ପରୀକ୍ଷାର୍ଥୀଙ୍କ ଅସୁବିଧା ପାଇଁ ଶିକ୍ଷା ମନ୍ତ୍ରାଳୟ ଦୁଃଖ ପ୍ର୍ରକାଶ କରିଛି । ଏହି ନିଷ୍ପତି ପରୀକ୍ଷାର୍ଥୀଙ୍କ ହିତ ଏବଂ ପରୀକ୍ଷାରେ ନିରପେକ୍ଷତା ଲାଗି ନିଆଯାଇଥିବା କୁହାଯାଇଛି । ଏନଟିଏ ଦ୍ୱାରା ପରିଚାଳିତ ପ୍ରାୟ ସବୁ ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି । ଯାହା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଏହାରି ଭିତରେ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି. ଏନଟିଏର ମହାନିର୍ଦ୍ଦେଶକ ପଦରୁ ସୁବୋଧ କୁମାରଙ୍କୁ ହଟାଇଦିଆଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖୋରଲାଙ୍କୁ ନୂଆ ମହାନିର୍ଦ୍ଦେଶକ କରାଯାଇଛି । ପରୀକ୍ଷାରେ ସଂସ୍କାର ଓ ପରିଚାଳନା ପାଇଁ ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।

କମିଟି ୨ ମାସ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟରେ ଏହାର ରିପୋର୍ଟ ଦାଖଲ କରିବେ । ପୂର୍ବତନ ଇସ୍ରୋ ମୁଖ୍ୟ କେ. ରାଧାକ୍ରିଷ୍ଣନ ଏହି କମିଟିର ମୁଖ୍ୟ ରହିଛନ୍ତି । ସେପଟେ ପରୀକ୍ଷା ବାତିଲ ହେବ ନାହିଁ ବୋଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତ୍ରୁଟି ମୁକ୍ତ ଓ ସ୍ୱଚ୍ଛ ପରୀକ୍ଷା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ଥିବା ସେ ଲେଖିଛନ୍ତି । ପେପର ଲିକ୍କୁ ନେଇ ସାରାଦେଶରେ ବିରୋଧ ବଢୁଥିବାବେଳେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପ୍ରବେଶିକା ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଏନଟିଏର ଗଠନ କରାଯାଇଥିଲା । କିନ୍ତୁ ଏନଟିଏ ମଡେଲ ବାରମ୍ବାର ଫେଲ ମାରିବାରେ ଲାଗିଛି । ୨୦୧୭ ମସିହାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏନଟିଏ ଗଠନ କରାଯାଇଥିଲା । ୨୦୧୮ ମାର୍ଚ୍ଚରୁ ଏନଟିଏ କାର୍ଯ୍ୟାରମ୍ଭ କରିଥିଲା । କିନ୍ତୁ ଗଠନ ପରଠାରୁ ଏନଟିଏ ଦ୍ୱାରା ପରିଚାଳିତ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ଆସୁଛି । ଏହାକୁ ନେଇ ସାରା ଦେଶରେ ହଙ୍ଗାମା ଜାରି ରହିଛି ।