ବିବନ ବିଶ୍ୱାଳ ଗିରଫ ପରେ ପୁଲିସ କମିଶନରଙ୍କୁ ଭେଟିଲେ ସିବିଆଇ ଟିମ । ମାମଲା ଆଗକୁ ବଢାଇବା ପାଇଁ ମାଗିଲେ ସହାୟତା । ଏପଟେ ମୁହଁ ଖୋଲିଲେ ବିବନଙ୍କ ପତ୍ନୀ…

585

କନକ ବ୍ୟୁରୋ: ୨୨ ବର୍ଷ ପୂର୍ବରୁ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାରେ, ତଦନ୍ତକାରୀ ଟିମ୍ ହାତରୁ ଖସିଯାଇଥିବା ବିବନ୍ ବିଶ୍ୱାଳ ଗିରଫ ହୋଇଛି । ଏହାପରେ  ସିବିଆଇର ଦୁଇ ଜଣିଆ ଟିମ୍ ପୁଲିସ୍ କମିଶନରଙ୍କୁ ଭେଟି ଆଲୋଚନା କରିବା ଘଟଣାର ଗୁରୁତ୍ୱ ବଢ଼ାଇ ଦେଇଛି । କାରଣ ଏହି ମାମଲାର ତଦନ୍ତ କରୁଥିଲା ଖୋଦ୍ ସିବିଆଇ । ପୁଲିସ୍ କମିଶନରଙ୍କୁ ଭେଟିବା ପରେ ସାକ୍ଷତକାରକୁ ସୌଜନ୍ୟମୂଳକ କହିି, ଉଠୁଥିବା ଅନେକ ପ୍ରଶ୍ନକୁ ଏଡାଇଯାଇଛନ୍ତି ସତ ହେଲେ, ବିବନ୍ ବିଶ୍ୱାଳର ଗିରଫ ହେବାର ଠିକ୍ ଗୋଟିଏ ଦିନ ପରେ ସିବିଆଇର ଅଧିକାରୀ କମିଶନରଙ୍କୁ ଭେଟିବା ଅନେକ ଗୁଡ଼ିଏ ପ୍ରଶ୍ନ ସାମ୍ନାକୁ ଆଣୁଛି ।

ସବୁଠୁ ବଡ ଚ୍ୟାଲେଂଜ ହେଉଛି କୋର୍ଟରେ କେମିତି ପ୍ରମାଣିତ ହେବ ଗିରଫ ବ୍ୟକ୍ତି ହିଁ ବିବନ ବିଶ୍ୱାଳ । କାରଣ ପରିବାର ଲୋକେ ତାକୁ ମୃତ ବୋଲି ପ୍ରମାଣ କରିବା ପାଇଁ ଅନେକ କସରତ କରିସାରିଛନ୍ତି । ସମାଧି ନିର୍ମାଣ ଠାରୁ ଆରମ୍ଭ କରି ଡେଥ ସାର୍ଟିଫିକେଟ ପର୍ଯ୍ୟନ୍ତ ସବୁକିଛି ପ୍ରସ୍ତୁତ କରିସାରିଥିଲେ ପରିବାର ଲୋକେ । ଯଦିଓ ସେମାନେ ଜାଣିଥିଲେ ବିବନ ବିଶ୍ୱାଳ ଜୀବିତ ଅଛନ୍ତି । ତେଣୁ କୋର୍ଟରେ ଗିରଫ ବ୍ୟକ୍ତି ହିଁ ବିବନ ବିଶ୍ୱାଳ ପ୍ରମାଣ କରିବା ଏତେଟା ସହଜ ନହୋଇପାରେ ।

ଏପଟେ ଏହି ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛନ୍ତି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ । ୨୨ ବର୍ଷ ହେଲାଣି ସେ ଘର ଛାଡି କୁଆଡେ ଚାଲି ଯାଇଛନ୍ତି, ଆଉ ଫେରି ନାହାନ୍ତି । ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା । ସେ କେବେ ବି ଟଙ୍କାଟିଏ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିବନ୍ ବିଶ୍ୱାଳଙ୍କ ପତ୍ନୀ । ଏହାରି ଭିତରେ କମିଶନରେଟ ପୋଲିସ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ ସିବିଆଇ କୋର୍ଟରେ ବିବନ୍କୁ ହାଜର କରିଥିଲା । ହେଲେ ବିବନ ପକ୍ଷରୁ କେହି ଜାମିନ ଆବେଦନ କରିନଥିଲେ । ତେଣୁ ବିବନକୁ କୋର୍ଟ ଝାରପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । କୋର୍ଟରେ ହାଜର ସମୟରେ ସିବିଆଇ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ରିମାଣ୍ଡ ପାଇଁ ଆବେଦନ କରିନଥିଲେ । ତେଣୁ ସିବିଆଇର ପରବର୍ତ୍ତୀ ପଦକ୍ଷେପ କଣ ହେବ ତା ଉପରେ ନଜର ।