ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଗିରଫ କଲା ସିବିଆଇ । ରିମାଣ୍ଡ ପାଇଁ ଲକ୍ଷ୍ନୌ କୋର୍ଟରେ ଆଜି ଆବେଦନ

61

କନକ ବ୍ୟୁରୋ: ଉତ୍ତର ପ୍ରଦେଶର ଉନାଓ ଏବଂ ଜାମ୍ମୁ-କାଶ୍ମୀରର କାଠୁଆରେ ଦୁଇଟି ବଳାତ୍କାର ଘଟଣାରେ ଦୁଇ ଦିନର ତମ୍ବିତୋଫାନ ପରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୋଷୀ ଦଣ୍ଡ ପାଇବେ ବୋଲି ଶୁକ୍ରବାର ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଏଥିସହ ଦେଶର ମହିଳାଙ୍କ ଉପରେ ବଢୁଥିବା ହିଂସାକୁ ରୋକିବା ଲାଗି ସମାଜରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ପିଲାଙ୍କ ଭିତରେ ସାମାଜିକ ମୂଲ୍ୟବୋଧ ବୃଦ୍ଧି କରିବା ଦାୟିତ୍ୱ ବାପା ମାଆଙ୍କର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେପଟେ ମେହବୁବା ମୁଫତି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଦୁଇ ବିଜେପି ମନ୍ତ୍ରୀ । ଶିଳ୍ପମନ୍ତ୍ରୀ ଚନ୍ଦ୍ର ପ୍ରକାଶ ଗଙ୍ଗା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଲାଲ ସିଂ ନିଜନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଭିଯୋଗ ଅନୁସାରେ କାଠୁଆ ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ ସାଂଝୀ ରାମ ସପକ୍ଷରେ ହିନ୍ଦୁ ଏକତା ମଂଚ ବାହାର କରିଥିବା ରାଲିର ନେତୃତ୍ୱ ନେଇଥିଲେ ବିଜେପିର ଏହି ଦୁଇ ମନ୍ତ୍ରୀ । ଜଣେ ୮ ବର୍ଷର ଝିଅକୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦୁଷ୍କର୍ମ ଘଟଣାରେ ଚାର୍ଜସିଟ୍ ଦାଖଲ କରିବାରେ ବାଧା ସୃଷ୍ଟି କରୁଥିବା କାଠୁଆ ଜିଲ୍ଲା ବାର୍ ଆସୋସିଏସନ୍ ଓ ଜାମ୍ମୁ ହାଇକୋର୍ଟ ବାର୍ ଆସୋସିଏସନକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ଆଗାମୀ ୧୯ ତାରିଖ ସୁଦ୍ଧା ନୋଟିସର ଉତର ରଖିବାକୁ କୋର୍ଟ କହିଛନ୍ତି ।

ଅନ୍ୟପଟେ, ଉନାଓ ବଳାକ୍ରାର ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଗୁରଫ କଲା ସିବିଆଇ । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଗିରଫ କରିଛି ସିବିଆଇ । କୁଲଦୀପଙ୍କ ବୟାନରେ ତାଳମେଳ ରହୁନଥିବାରୁ ତାଙ୍କୁ ରିମାଣ୍ଡରେ ନେବ ସିବିଆଇ । ଏଥିପାଇଁ ଆଜି ତାଙ୍କୁ ଲକ୍ଷେ୍ନøରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ଶୁକ୍ରବାର ଭୋର ପ୍ରାୟ ୫ଟା ସମୟରେ କୁଲଦୀପ ସିଂଙ୍କୁ ତାଙ୍କ ଲକ୍ଷ୍ନୌ ବସଭବନରୁ ଉଠାଇ ଆଣିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଦୀର୍ଘ ସମୟ ଧରି ତାଙ୍କୁ ଅଟକ ରଖିବା ସହ ଘଟଣା ବାବଦରେ ପଚରା ଉଚରା କରିଥିଲା । ହେଲେ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ୟୁପି ସରକାରଙ୍କୁ କଡା ଭର୍ସନା କରିବା ସହ କୁଲଦୀପଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ । ସିବିଆଇ ଏହି ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ୩ଟି ମାମଲା ରୁଜୁ କରିଛି । ଗତବର୍ଷ ୟୁପିର ଉନାଓ ଜିଲ୍ଲାରେ ୧୭ ବର୍ଷର ନାବାଳିକାଂକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ତାଙ୍କ ବାପାଙ୍କର ସନ୍ଦେହଜନକ ଭାବେ ଥାନା ହାଜରେ ମୃତ୍ୟୁ ହୋଇଥିଲା ।

କାଠୁଆ ଓ ଉନାଓ ବଳାତ୍କାର ଘଟଣାରେ ଦିଲ୍ଲୀ ମହିଳା କମିସନଙ୍କ ଅନଶନ । ଏପରିକି ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬ ମାସରେ ତଦନ୍ତ ଶେଷ କରି ମୃତ୍ୟୁଦଣ୍ଡ ଦେବା ଦାବିରେ ସେ ଏହି ଅନଶନ ଆରମ୍ଭ କରିଛନ୍ତି । ଦୁଇଟି ଘଟଣାରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ । ଏହାପରେ ଦିଲ୍ଲୀର ରାଜଘାଟରେ ଶୁକ୍ରବାରଠାରୁ ସ୍ୱାତୀ ମାଲିବାଲ ଅନଶନ ଆରମ୍ଭ କରିଥିବାବେଳେ ଅନଶନସ୍ଥଳରେ ପହଂଚିଥିଲେ ବରିଷ୍ଠ ବିଜେପି ନେତା ଯଶୋବନ୍ତ ସିହ୍ନା । ଆଉ ଦୁଇଟି ସମ୍ବେଦନଶୀଳ ଘଟଣାରେ ପ୍ରଧାନମନ୍ତ୍ରୀ କାହିଁକି ମୌନ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏପରିକି ମନର କଥା କହୁଥିବା ପ୍ରଧାନମନ୍ତ୍ରୀ ମୋଦି ଥରେ ଆଇନର କଥା କହିବା ଉଚିତ ଥିଲା ବୋଲି ତେରେଛା ବାଣ ମାରିଛନ୍ତି ଯଶୋବନ୍ତ ସିହ୍ନା ।

ଏବେ ନଜର ପକାନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ।

– ଦେଶରେ ପ୍ରାୟ ୩୦ ପ୍ରତିଶତ ଜନପ୍ରତିନିଧିଙ୍କ ବିରୋଧରେ ଅପରାଧ ମାମଲା

– ମୋଟ ୧୫୮୧ ନିର୍ବାଚିତ ବିଧାୟକ, ସାଂସଦଙ୍କ ବିରୋଧରେ ଅପରାଧ ମାମଲା

– ଏମାନଙ୍କ ଭିତରୁ ୫୧ଜଣ ମହିଳା ବିରୋଧୀ ହିଂସାରେ ସଂପୃକ୍ତ ଅଭିଯୋଗ

– ୩ସାଂସଦ ଓ ୪୮ବିଧାୟକଙ୍କ ମଧ୍ୟରୁ ୪ଜଣଙ୍କ ବିରୋଧରେ ବଳାତ୍କାର ମାମଲା

– ୧୪ଟି ମାମଲା ସହ ମହିଳା ବିରୋଧୀ ହିଂସାରେ ବିଜେପି ସବୁଠୁ ଆଗୁଆ

– ଶିିବସେନାର ୭ ଓ ଟିଏମସିର ୬ ଜଣ ମହିଳା ବିରୋଧୀ ହିଂସାରେ ଜଡିତ

– ୨୦୧୬ରେ ୩ଲକ୍ଷ ୩୮ ହଜାର ୫୯୪ ମହିଳା ବିରୋଧୀ ହିଂସା ପଞ୍ଜିକୃତ

– ୩୮ ହଜାର ୯୪୭ ବଳାତ୍କାର ଓ ୨ ହଜାର ୧୬୭ ଗଣବଳାତ୍କାର ମାମଲା

– ୪ ହଜାର ୮୮୨ ବଳାତ୍କାର ମାମଲା ସହ ୨୦୧୬ରେ ମଧ୍ୟପ୍ରଦେଶ ଆଗୁଆ

– ରାଜସ୍ଥାନ, ଉତରପ୍ରଦେଶ ଓ ମହାରାଷ୍ଟ୍ରରେ ୪ହଜାର ୮୧୬ଟି ଲେଖାଏଁ ମାମଲା

– ୨୦୧୬ରେ ଜାମ୍ମୁ-କାଶ୍ମୀରରେ ମୋଟ୍ ୨୫୬ଟି ବଳାତ୍କାର ମାମଲା ହୋଇଥିଲା