ବିବନ ବଖାଣିଲା ୨୨ ବର୍ଷ ତଳର ଦୁଷ୍କର୍ମ କାହାଣୀ । ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ସିବିଆଇ ।

397

କନକ ବ୍ୟୁରୋ: ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଦିନରାତି ଏକ କରିଦେଇଛି ସିବିଆଇ । ଆଜି ସକାଳୁ ସକାଳୁ ବିବନକୁ ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କରିଛି ସିବିଆଇ । ବାରଙ୍ଗରେ ୨୨ ବର୍ଷ ତଳେ କଣ ଘଟିଥିଲା ? କେମିତି ଏହି ଜଘନ୍ୟ କାଣ୍ଡ କରିଥିଲା ବିବନ ? କେମିତି କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା ? ସିବିଆଇ ଆଗରେ ସେ ସବୁକୁ କରି ଦେଖାଇଛି ।

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ହିଁ ଏହି ଗୁଣଦୁଷ୍କର୍ମ ଘଟଣାର ମୁଖ୍ୟ ଦୋଷୀ – ଏହାକୁ କୋର୍ଟରେ ପ୍ରମାଣ କରିବା ପାଇଁ କେଉଁ କେଉଁ ପ୍ରମାଣ ଦରକାର ହେବ ସେ ଦିଗରେ ଏବେ କାମ କରୁଛି ସିବିଆଇ । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ ବିବନକୁ ଦୋଷୀ ସାବ୍ୟସ୍ତ କରିବାରେ ସିନ ରିକ୍ରିଏସନ ଏକ ବଳିଷ୍ଠ ପ୍ରମାଣ ସାବ୍ୟସ୍ତ ହେବ ।

କେବଳ ସେତିକି ନୁହେଁ ଏହି ୨ ଦିନର ରିମାଣ୍ଡ ଅବଧି ଆଜି ଶେଷ ହେଉଥିବାରୁ କୌଣସି ମୌକା ହାତଛଡା କରିବାକୁ ଚାହିଁନି ସିବିଆଇ । ବିବନ ବିଶ୍ୱାଳକୁ ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ପୁଣି ସିବିଆଇ କାର୍ଯ୍ୟାଳୟକୁ ନେଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିବନକୁ ପୁଣି ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଛି ସିବିଆଇ ।

ସିବିଆଇର ଆଇନ ପରାମର୍ଶଦାତାଙ୍କ କହିବାନୁସାରେ ସିବିଆଇକୁ ଯେଉଁସବୁ ତଥ୍ୟ ମିଳିଛି ତାହା ତଦନ୍ତରେ ସହାୟକ ହେବ । ଅନ୍ୟପଟେ ସିନ ରିକ୍ରିଏସନ ଏବଂ ସିବିଆଇର ପଚରାଉଚରା ପରେ ବିବନ ବିଶ୍ୱାଳକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦରକାର ପଡିଲେ ବିବନକୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ।