ଓଡ଼ିଶାକୁ ପୁଣି ଫେରିଲା ସିବିଆଇ । ଦୀର୍ଘ ଦିନର ନିରବତା ପରେ ଚିଟଫଣ୍ଡ ମାମଲାରେ ଆକ୍ସନ ମୋଡକୁ ଆସିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ଶୁଭଙ୍କରଙ୍କୁ ଜେରା

888

କନକ ବ୍ୟୁରୋ: ପୁଣି ଫେରିଲା ଚିଟଫଣ୍ଡ ମାମଲା । ଦୀର୍ଘଦିନର ନିରବତା ପରେ ଆକ୍ସନ ମୋଡକୁ ଆସିଲା ସିବିଆଇ! ଦୁଇ ଦିନ ତଳେ ଅଚାନକ ଭାବେ ପୁଣିଥରେ ଓଡ଼ିଶାରେ ଚିଟଫଣ୍ଡ ମାମଲା ଖୋଲିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଅପ୍ରତ୍ୟାଶିତ ଭାବେ ଆରମ୍ଭ ହୋଇଥିବା ଏହି ଖୋଳତାଡ ସଂପର୍କରେ କେହି ଟେର୍ ପାଇନାହାନ୍ତି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥର ସିବିଆଇ ଟାର୍ଗେଟରେ ସିସୋର ଠକେଇ । ଚିଟଫଣ୍ଡ କେଳେଙ୍କାରୀରେ ମଧ୍ୟସ୍ଥ କୁହାଯାଉଥିବା ଶୁଭଙ୍କର ଓ ତାଙ୍କର ବହୁ ଚର୍ଚ୍ଚିତ ଡାଏରୀରୁ ଖିଅ ଧରି ଆରମ୍ଭ ହୋଇଛି ଛାନଭିନ୍ । ସୂଚନା ଅନୁସାରେ ଗତ ୧୨ ତାରିଖରେ ସିବିଆଇ ଅଫିସକୁ ଡାକି ଶୁଭଙ୍କରଙ୍କୁ ପ୍ରାୟ ୨ ଘଂଟା ଧରି ମାରାଥନ ଜେରା କରାଯାଇଛି । କେଉଁ କେଉଁମାନେ ସିସୋର ଚିଟଫଣ୍ଡ କେଳେଙ୍କାରୀରେ ସାମିଲ ଥିଲେ, ସେନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ସିବିଆଇ ଅଧିକାରୀ । ପ୍ରାଥମିକ ପର୍ଯ୍ୟାୟରେ ଯାହା କିଛି ସୂଚନା ମିଳିଛି, ତାକୁ ଗୋପନୀୟ ରଖିଛି ସିବିଆଇ ।

ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ବରିଷ୍ଠ ଆଇଏଏସ ଅଧିକାରୀ ଓ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସଂପୃକ୍ତିର ଖୋଳତାଡ ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ଔପଚାରିକ ଭାବେ କିଛି ସ୍ପଷ୍ଟ କରିନାହିଁ ସିବିଆଇ । ଅଭିଯୁକ୍ତ ଶୁଭଙ୍କରଙ୍କ ପକ୍ଷରୁ ମଧ୍ୟ ଏ ସଂପର୍କରେ କେହି କିଛି ମୁହଁ ଖୋଲିନାହାନ୍ତି । ସବୁଆଡୁ ଅସମ୍ଭବ ନିରବତା ଛାଇ ଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି, ବଡ଼ ମୁଣ୍ଡ ଧରିବାକୁ ଜାଲ ବିଛାଇଛି ସିବିଆଇ ।

ଶୁଭଙ୍କର ଡାଏରୀ ଖୋଲିବ କି ବଡ଼ ଗୁମର? ଧରାପଡ଼ିବେ କି ଚିଟଫଣ୍ଡ କେଳେଙ୍କରୀର ଖଳନାୟକ? ସିବିଆଇ ତନାଘନା ଆରମ୍ଭ ପରେ କିଛି ଅଫିସରଙ୍କ ମନରେ ଛନକା ପଶିଛି । ପୂର୍ବରୁ ଶୁଭଙ୍କରଙ୍କ ଡାଇରୀରୁ କିଛି ଆଇପିଏସ ଓ ଆଇଏଏସ ଅଫିସରଙ୍କ ନାଁ ସାମନାକୁ ଆସିଥିଲା । ଏବେ ପୁଣି କେଉଁ କେଉଁ ଅଧିକାରୀ ସିବିଆଇ ସ୍କାନରକୁ ଆସିବେ, ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ଅର୍ଥତତ୍ୱ ଠକେଇ ଲିଙ୍କରେ ଓସିଏ ସଂପାଦକଙ୍କୁ ଗିରଫ କରବା ପରେ ଓଡ଼ିଶାେରେ ନିଷ୍କ୍ରିୟ ହୋଇ ପଡ଼ିଥିଲା ସିବିଆଇ । ବେଶ କିଛି ଦିନର ନିରବତା ପରେ ହଠାତ୍ ସିବିଆଇ କାହିଁକି ଆକ୍ସନ ମୋଡକୁ ଆସିଲା, ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି । ଏହି ସପ୍ତାହରେ ପଶ୍ଚିମବଙ୍ଗରେ ମଧ୍ୟ ଚିଟଫଣ୍ଡ ଫାଇଲ ଖୋଲିଛି ସିବିଆଇ ।