କରୋନା ଭିତରେ ସିବିଆଇ ଖୋଲିଲା ଚିଟଫଣ୍ଡ କେଳେଙ୍କାରୀ ଫାଇଲ: ଶୁଭଙ୍କର ଡାଏରୀରୁ ଖୋଳତାଡ ଆରମ୍ଭ, ଜାମିନରେ ଆସିଥିବା ଅଭିଯୁକ୍ତଙ୍କୁ ସିସୋର ପ୍ରସଙ୍ଗରେ ଅଢେଇ ଘଂଟା ଧରି ଜେରା

ଟାର୍ଗେଟରେ ଦୁଇ ଆଇଏଏସ ଓ ଜଣେ ଆଇପିଏସ

285

କନକ ବ୍ୟୁରୋ:  ପୁଣି ଫେରିଲା ସିବିଆଇ । ସାରା ରାଜ୍ୟ କରୋନା ମହାମାରୀକୁ ମୁକାବିଲା କରୁଥିବା ବେଳେ ସିବିଆଇ ଖୋଲିଛି ଚିଟଫଣ୍ଡ ଫାଇଲ । ବହୁଚର୍ଚ୍ଚିତ ସିସୋର କେଳେଙ୍କାରୀର ମଧ୍ୟସ୍ତ କୁହାଯାଉଥିବା ଅଭିଯୁକ୍ତ ଶୁଭଙ୍କର ଡାଏରୀ ଓଲଟାଇବା ଆରମ୍ଭ କରିଛନ୍ତି ସିବିଆଇ । ଚାଂଚଲ୍ୟକର କଥା ହେଉଛି ଯେ, ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିବା ଜଣେ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଧିକାରୀ ମାନେ ଡାକି ଦୀର୍ଘ ଅଢେଇ ଘଂଟା ଧରି ଜେରା କରିଛନ୍ତି । ହେଲେ ଏହି ସମ୍ପର୍କରେ କେହି ଟେର୍ ପାଇପାରି ନାହାଁନ୍ତି ।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ  ଅଭିଯୁକ୍ତଙ୍କୁ ଡକାଇ କେଉଁ କେଉଁ ଅଫିସର ସିସୋର କେଳେଙ୍କାରୀରେ ସାମିଲ ଥିଲେ, ସେନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ସିବିଆଇ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ବରିଷ୍ଠ ଆଇଏଏସ ଅଧିକାରୀ ଓ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସଂପୃକ୍ତିର ଖୋଳତାଡ ଆରମ୍ଭ ହୋଇଥିବା ସୂଚନା ମିଳିଛି । ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧୨ ଟା ଯାଏ ଜେରା ଜାରି ରହିଥିଲା । ହେଲେ ସିବିଆଇ ଅଧିକାରୀ ଏନେଇ କିଛି ବି ମୁହଁ ଖୋଲୁନାହାଁନ୍ତି ।

କେବଳ ଏହି ୩ ଜଣ ନୁହେଁ, ପାଖାପାଖି ୧୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ସିବିଆଇ ପୁଣିଥରେ ତଦନ୍ତ ଫାଇଲ ଖୋଲିବ ବୋଲି ସୂଚନା ମିଳିଛି । ସାଧାରଣ ନିର୍ବାଚନ ସରିବାର ଠିକ୍ ବର୍ଷକ ପରେ ସିବିଆଇ ପୁଣିଥରେ ଚିଟଫଣ୍ଡ କେଳେଙ୍କାରୀ ଫାଇଲ ଖୋଲିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।