କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଛି । ସିବିଆଇ ୧୪ ଘଣ୍ଟା ଧରି ସିସୋଦିଆଙ୍କ ଘରେ ରେଡ୍ କରିଛି । ତେବେ ସିବିଆଇର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନିଷ ସିସୋଦିଆ । ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ସିବିଆଇର ଅବବ୍ୟବହାର କରାଯାଉଛି । ସିବିଆଇକୁ ଉପରୁ ନିୟନ୍ତ୍ରଣ କରାଯାଉଛି । ଆମେ ସଚ୍ଚୋଟତାର ସହ କାମ କରିବା ବନ୍ଦ କରିବୁ ନାହିଁ । ଆମେ କିଛି ଭୁଲ କରିନାହୁଁ । ମୋ ପରିବାର ମଧ୍ୟ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ସିସୋଦିଆ କହିଛନ୍ତି । ତଦନ୍ତ ପରେ ସିବିଆଇ ସିସୋଦିଆଙ୍କ ଲାପଟପ୍ ଓ ଫୋନ୍ ନେଇଥିବା ସେ କହିଛନ୍ତି ।

Advertisment

ଆପ୍‌ ନେତା ମନୀଷ ସିସୋଦିଆ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କହିଛନ୍ତି । ସିସୋଦିଆ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମା‌ନେ ଦେଶରେ ଭଲ କାମ କରୁଛନ୍ତି ସେମାନଙ୍କୁ ଏଭଳି ନିର୍ଯାତନା ଦିଆଯାଉଛି । ସିସୋଦିଆ କହିଛନ୍ତି, ଆମେ ସଚ୍ଚୋଟ । ଆମ ବିରୋଧରେ ଆସିଥିବା ଅଭିଯୋଗ ମିଛ । କୋର୍ଟରେ ହିଁ ସବୁ ସତ କଥା ଜଣାପଡ଼ିବ । ତେବେ ଆପ୍‌ ନେତାଙ୍କ ଘରେ ସିବିଆଇ ଚଢ଼ଉ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ସିବିଆଇକୁ ସ୍ବାଗତ କରୁଛି। ପୂର୍ବରୁ ମଧ୍ୟ ସିବିଆଇ ତାଙ୍କ ନେତାଙ୍କ ଘରେ ଚଢ଼ଉ କରିଛି। କିନ୍ତୁ କିଛି ପାଇନାହିଁ । ସାରା ବିଶ୍ବ ଦିଲ୍ଲୀର ଶିକ୍ଷା ଏବଂ ସ୍ବାସ୍ଥ୍ୟ ମଡେଲକୁ ପ୍ରଶଂସା କରୁଛି ଏବଂ ଏହି କାରଣ ପାଇଁ ଦିଲ୍ଲୀର ସ୍ବାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ‌‌ରେ ଚଢ଼ଉ ହେଉଛି ।