ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ: କେଜ୍ରିୱାଲ କହିଲେ କୌଣସି ରେଡ୍ ଆମକୁ ରୋକିପାରିବନି

102

କନକ ବ୍ୟୁରୋ: ଦିଲ୍ଲୀରେ ଅବକାରୀ ନୀତିରେ ଦୁର୍ନୀତି ହୋଇଛି । ଏହି ଅଭିଯୋଗରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ କରିଛି । ଆଉ ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି । ଏହି ରେଡ୍ ପୂର୍ବରୁ କିନ୍ତୁ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ଶିକ୍ଷା ନୀତିକୁ ନେଇ ଏକ ଖବର ପ୍ରକାଶ ପାଇଥିଲା । ବିଜେପି କହିଛି ଏହା ଏକ ପେଡ୍ ନ୍ୟୁଜ । ତେବେ ଆପ୍ କହିଛି ଦିଲ୍ଲୀ ସରକାରର ସଫଳତା ସହିପାରୁନି କେନ୍ଦ୍ର । ତେଣୁ ଶାସକ ଦଳ ବିଜେପି ପ୍ରତିଶୋଧମୂଳକ ଭାବେ ତଦନ୍ତକାରୀ ସଂସ୍ଥା ଲଗାଇ ବିରୋଧୀଙ୍କୁ ଚୁପ୍ କରିବାକୁ ପ୍ରୟାସ କରୁଛି ।

ଦିଲ୍ଲୀ ସରକାରର ଶିକ୍ଷା ନୀତି ବାବଦରେ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି । ଏହାକୁ ନେଇ ଶାସକ ଦଳ ଆମ୍ ଆଦମୀ ପାର୍ଟି ଖୁସି ପ୍ରକଟ କରୁଥିବା ବେଳେ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଛି । ୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ୨୦ଟି ଠିକଣାରେ ରେଡ୍ କରିଛି ସିବିଆଇ । ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀ ସରକାର ଅବକାରୀ ନୀତି ଆଣିଥିଲେ । ଯେଉଁଥିରେ ମଦ ଦୋକାନ ଖୋଲିବା ନେଇ ଆବଶ୍ୟକ ଲାଇସେନ୍ସ ବିଭିନ୍ନ ଘରୋଇ ସଂସ୍ଥାକୁ ଦିଆଯାଇଥିଲା ।

ଏପରି ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି । ପରେ ସିବିଆଇ ରେଡ୍ କରିଛି । ମିିଳିଥିବା ସୂଚନା ଅନୁସାରେ ଚଢାଉ ବେଳେ ଅବକାରୀ ନୀତି ସଂପର୍କିତ ଆବଶ୍ୟକ ଦସ୍ତାବିଜ ପାଇଛି । ସିସୋଦିଆଙ୍କୁ ସିବିଆଇ ଅଧିକାରୀ ଜେରା କରିଥିବା ସୂଚନା ରହିଛି । ଅନ୍ୟପଟେ ଆର୍ଥିକ ଅନିୟମିତତା ଅଭିଯୋଗ ଥିବାରୁ ଇଡି ମନି ଲଣ୍ଡରିଂ ମାମଲାରେ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତେବେ ଏପରି ରେଡକୁ ଆପ୍ ପ୍ରତିଶୋଧମୂଳକ ରାଜନୀତି ବୋଲି କହିଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ଆପ ସରକାରର ସଫଳତାକୁ କେନ୍ଦ୍ରର ବିଜେପି ସହିପାରୁନଥିବା ଟୁଇଟ୍ କରି କହିଛନ୍ତି ମନୀଷ ସିସୋଦିଆ ।

ସିବିଆଇ ରେଡ୍ ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । ନିକଟରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ବିରୋଧୀ ବିଜେପି ଏବଂ ଶାସକ ଦଳ ଆମ୍ ଆଦମୀ ପାର୍ଟି ମୁହାମୁହିଁ ହୋଇଛନ୍ତିା କେଜ୍ରିୱାଲ ସରକାର ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ ନିଜର ମେଡଲ ବୋଲି କହି ସାରା ଦେଶରେ ନିଜର ପତିଆରା ଜାହିର କରିବାକୁ ଅଂଟା ଭିଡିଛନ୍ତିି । ନିକଟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟ ଯାଇ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ କରିଥିଲେ ଅରବିନ୍ଦ କେଜ୍ରିୱାଲ । ବିଜେପି କହିଛି ପେଡ୍ ନ୍ୟୁଜ ଜରିଆରେ କେଜ୍ରିୱାଲ ନିଜର ଭାବମୂର୍ତି ସଜାଡୁଛି । ଆଉ ଏହାର ପାଲଟା ଜବାବ ରଖିଛି ବିଜେପି ।

ଏହି ରେଡ୍ ପୂର୍ବରୁ ଦିଲ୍ଲୀର ଅନ୍ୟତମ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଗିରଫ ହୋଇ ଜେଲରେ ରହିଛନ୍ତି । ଜେରା ବେଳେ ଅନେକ ତଥ୍ୟ ଲୁଚାଉଥିବା ସୂଚନା ତଦନ୍ତକାରୀ ସଂସ୍ଥା କୋର୍ଟକୁ କହିଛନ୍ତି । ଅନ୍ୟପଟେ ବିରୋଧୀଙ୍କୁ ଚୁପ କରିବାକୁ କେନ୍ଦ୍ର ତଦନ୍ତକାରୀ ସଂସ୍ଥାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ଅଭିଯୋଗ ରହିଛି ।