ବ୍ୟାଙ୍କକୁ ଠକିଲା କଟକ କମ୍ପାନୀ । ୧୪୦ କୋଟି ଟଙ୍କାର ଠକେଇ ଅଭିଯୋଗ, ସିବିଆଇ କରୁଛି ଖୋଳତାଡ ।

217

କନକ ବ୍ୟୁରୋ : ୧୪୦ କୋଟିର ଠକେଇ । ଜଗତପୁରର ଏକ କମ୍ପାନୀ ଉପରେ ସିବିଆଇ ରେଡ । ୨୦୧୩ରେ ବ୍ୟବସାୟ ପାଇଁ ଟଙ୍କା ନେଇ ପରବର୍ତ୍ତୀ ସମୟରେ ପରିଶୋଧ କରିନଥିବା କମ୍ପାନୀ ଏବେ ଆସିଛି ସ୍କାନରକୁ । ସୁଧମୂଳ ମିଶାଇ ୧୪୦ କୋଟି କେମିତି ଆଦାୟ ହେବ, ତାହା ବ୍ୟାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କିଭଳି ଏତେ ପରିମାଣର ଋଣ ନେଇ କମ୍ପାନୀ ଠକିଦେଲା ତାର ତଦନ୍ତ ଆରମ୍ଭ କରିଛି ସିବିଆଇ ।

ବ୍ୟାଙ୍କକୁ ଠକିଲା କଟକ କମ୍ପାନୀ । ସିବିଆଇ କରୁଛି ଖୋଳତାଡ । କଟକର ଏସଆର ଆଲକୋଭେବ ପ୍ରାଇଭେଟ୍ ଲିମିଟେଡ୍ । ଜଗତପରୁ ଶିଳ୍ପାଞ୍ଚଳରେ ଥିବା ଏହି କମ୍ପାନୀ ଉପରେ ସିବିଆଇର ରେଡ୍ । ୨୦୧୩ରେ କମ୍ପାନୀ ତିଆରି କରିବା ନାଁରେ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଏବଂ ଭୁବନେଶ୍ୱର ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ନେଇଥିଲା ଆଲକୋଭେବ ପ୍ରାଇଭେଟ୍ ଲିମିଟେଡ୍ । ଇତି ମଧ୍ୟରେ ୮ ବର୍ଷ ବିତିଛି । ହେଲେ କମ୍ପାନୀ ଋଣ ପରିଶୋଧ କରିନି । ଆଉ ଋଣ ପୈଠ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସମସ୍ତ ପ୍ରୟାସ କରି ବିଫଳ ହୋଇଛନ୍ତି ।

ଏବେ ସମ୍ପୃକ୍ତ ଠକ କମ୍ପାନୀ ନାଁରେ ସୁଧ ମୂଳ ସହିତ ମୋଟ୍ ୧୪୦ କୋଟି ଟଙ୍କାର ବକେୟା ହୋଇଛି । ଟଙ୍କା ଆଦାୟ କରିବାରେ ବିଫଳ ହେବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ଆଉ ଶେଷରେ ସିବିଆଇ ଏହି ଠକ କମ୍ପାନୀ ଉପରେ ଚଢାଉ କରି କମ୍ପାନୀର ଦୁଇ ନିର୍ଦ୍ଦେଶକଙ୍କ ସମେତ ମୋଟ୍ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଯେଉଁଥିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ରହିଛନ୍ତି । ଯେଉଁମାନେ ଋଣ ଦେଇଥିଲେ ।

ଏବେ ତଦନ୍ତ ବେଳେ ସିବିଆଇ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି

• ଋଣ ଦେବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କେଉଁସବୁ ଦସ୍ତାବିଜ ଦିଆଯାଇଥିଲା ?
• ଋଣ ପାଇଁ ଅନୁମତି ଦେଇଥିବା କର୍ତ୍ତୃପକ୍ଷଙ୍କର କମ୍ପାନୀର ମାଲିକଙ୍କ ସହିତ ରହିଛି କି ମଧୁଚନ୍ଦ୍ରିକା ?
• ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ଦେବା ବେଳେ କ’ଣ ବନ୍ଧକ ରଖିଥିଲେ ?
• କମ୍ପାନୀର କାଗଜ ପତ୍ର ଠିକ୍ ଅଛି କି ନାହିଁ ?
• କମ୍ପାନୀ କେଉଁ କେଉଁ ବ୍ୟବସାୟରେ ଲିପ୍ତ ?
• ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କମ୍ପାନୀ ଋଣ ନେଇଥିଲା ନା ଠକିବା ଉଦ୍ଦେଶ୍ୟରେ ?

ଏମିତି ଅନେକ ପ୍ରଶ୍ନର ଉତର ଖୋଜୁଛି ସିବିଆଇ ।

ତେବେ ମିଳିଥିବା ସୂଚନା ଅନୁସାରେ ଏସଆର ଆଲକୋଭେବ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ରଞ୍ଜନ କୁମାର ପାଢ଼ୀ ଏମଡି ସାଇନା କରଙ୍କ ନାଁରେ ଋଣ ଦେଇଥିଲା ବ୍ୟାଙ୍କ୍ । ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ନୈନା ଦେବୀ ଓ ଚନ୍ଦ୍ରଗ୍ରନ୍ଥ ଆଇରନ୍ ଆଣ୍ଡ ଷ୍ଟିଲ ଟ୍ରେଡର୍ସ ପ୍ରାଇଭେଟ୍ ଲିମିଟେଡ କର୍ପୋରେଡ୍ ଗ୍ୟାରେଣ୍ଟର ପଡିଥିବା ଜଣାପଡିଛି । ସବୁଠୁ ବଡ କଥା ହେଲା ଦେଶରେ ଏଭଳି ଠକ କମ୍ପାନୀ ଅନେକ । ଯଦି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ କମ୍ପାନୀର ମଧୁଚନ୍ଦ୍ରିକା ଥିବ ତାହେଲେ ଋଣ ପରିଶୋଧ ନକରି ଏନପିଏ ହୋଇଯିବ । ଆଉ କମ୍ପାନୀ ପାର ପାଇଯାଏ ।