ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ : ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢାଉ, ସି ସୋର ଲିଙ୍କ ନେଇ ଖୋଳତାଡ; ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ଅଟ୍ରି ମହାନଦୀ ବୋଟିଂ ଦେଇଥିବା ଅଭିଯୋଗ

451

କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଲା ସିବିଆଇ । ସିସୋର ଲିଙ୍କରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଚଢାଉ । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନରେ୍ ଚଢାଉ ଚାଲିଛି । ସି-ସୋର ଲିଙ୍କ ନେଇ ବିଜେଡି ବିଧାୟକଙ୍କ ଘରେ ସିବିଆଇ ଅଧିକାରୀ ଚଢାଉ କରିଥିବା ସୂଚନା ମିଳିଛି ।

ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ଅଟ୍ରି ମହାନଦୀ ବୋଟିଂ ପାଇଁ ସି-ସୋରକୁ ଅନୁମତି ଦେଇଥିଲେ । ଏହାର ଖୋଳତାଡ ପାଇଁ ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି । ପୂର୍ବରୁ ଦେବୀ ମିଶ୍ରଙ୍କ ଦୁଇ ସହଯୋଗୀ ପ୍ରଫୁଲ୍ଲ ସିଂ ଏବଂ ଦିଲ୍ଲୀପ ମିଶ୍ରଙ୍କୁ ସିବିଆଇ ଜେରା କରିଥିଲା । ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ତାଙ୍କ ରାଜନୈତିକ ସଚିବ ଥିଲେ ପ୍ରଫୁଲ୍ଲ ସିଂ ଓ ଦିଲ୍ଲୀପ ମିଶ୍ର ।

ତେବେ ସି-ସୋର ଚିଟ୍ ଫଣ୍ଡ ମାମଲାରେ ପୂର୍ବରୁ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା । ତେବେ ପୁଣି ଜଣେ ନେତା ଏବେ ସିବିଆଇ ପଞ୍ଝାରେ ପଡିଛନ୍ତି । ତାଙ୍କ ଘରୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇର ହସ୍ତଗତ ହୋଇଥିବା ସୂଚନା ମିଳିଛି ।