କନକ ବ୍ୟୁରୋ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ତେଜୁଛି ବିରୋଧ। ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ପଶ୍ଚିମବଙ୍ଗ ଡିଜିପିଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ୫ ଦାବି କଲା ଆଇଏମଏ। ତଦନ୍ତ କରୁଥିବା ସିବିଆଇ ଟିମ୍ ମୃତ ଟ୍ରେନି ଡାକ୍ତରଙ୍କ ସର୍ମ୍ପକୀୟଙ୍କୁ ଭେଟିଛି । ଆରଜି କର  ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କୁ ୧୩ ଘଣ୍ଟା ପଚରାଉଚରା କରିଛି ସିବିଆଇ।

ନିର୍ମମ ହତ୍ୟା ପଛରେ ଆରଜି କଲେଜର କିଛି ଇଣ୍ଟର୍ଣ୍ଣ ଓ ଡାକ୍ତରଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛି ପରିବାର । ଅଭିଯୋଗକ୍ରମେ ୩୦ଜଣ ଡାକ୍ତରଙ୍କୁ ସିବିଆଇ ଜେରା କରିବାକୁ ତାଲିକା ପ୍ରକାଶ କରିଛି । ଅନ୍ୟପଟେ ପଶ୍ଚିମବଙ୍ଗ ସ୍ଥିତି ସମ୍ପର୍କରେ ଦୁଇ ଘଣ୍ଟାରେ ଥରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୁରକ୍ଷାକୁ ଗୁରୁତ୍ୱ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଯଦି କୌଣସି ଡାକ୍ତର,ନର୍ସ ବା ଚିକିତ୍ସାକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଏ ତେବେ ୬ଘଣ୍ଟା ମଧ୍ୟରେ ଏଫଆଇଆର ରୁଜୁ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛି। ଡାକ୍ତରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାର ପୀଡ଼ତାଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଛି । ଏନେଇ ସୂଚନା ଦେଇଛନ୍ତି ଆଇଏମଏ ଅଧ୍ୟକ୍ଷ ଡାକ୍ତର ଅଶୋକନ ।

ଇଣ୍ଡିଆନ ମେଡିକାଲ ଆସୋସିଏସନ ୨୪ଘଣ୍ଟିଆ ଆନ୍ଦୋଳନକୁ  ଓହ୍ଲାଇବାରୁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି। ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ, ଇଣ୍ଡିଆନ ମେଡିକାଲ ଆସୋସିଏସନ, ଦିଲ୍ଲୀ ସରକାରୀ ମେଡିକାଲ କଲେଜ, ହସ୍ପିଟାଲ ରେସିଡେଣ୍ଟ ଡାକ୍ତର ଆସୋସିଏସନ ପ୍ରତିନିଧିମାନେ ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଭେଟିଛନ୍ତି । ସେପଟେ ଧର୍ମଘଟ ବନ୍ଦ କରି କାମକୁ ଫେରିବାକୁ ଅପିଲ କରିଛି ସ୍ୱାସ୍ଥ୍ୟମନ୍ତ୍ରାଳୟ । ସୁରକ୍ଷା ପାଇଁ କମିଟି ଗଠନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛି । ଅନ୍ୟପଟେ ଡାକ୍ତରଙ୍କ ଆନ୍ଦୋଳନ ତେଜୁଥିବାରୁ କୋଲକାତା ମେଡିକାଲ କଲେଜର ୪୨ ଜଣ ଡାକ୍ତରଙ୍କୁ ବଦଳୀ କରାଯାଇଛି। ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।