କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ନେଇ ସିବିଆଇ ଜୋରଦାର ତଦନ୍ତ କରୁଥିବା ବେଳେ ସିବିଆଇ ତଦନ୍ତ କୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ରେଳ ମନ୍ତ୍ରୀ ଇନକ୍ଵାରି ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି । ମମତା ବାନାର୍ଜୀ କହିଛନ୍ତି ରେଳ ମନ୍ତ୍ରୀ ଥିବା ସମୟରେ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦେଇଥିଲେ କିନ୍ତୁ ଏଯାଏ ତଦନ୍ତ ସରିନି । କି ପ୍ରକାର ତଦନ୍ତ ଚାଲିଛି ସମସ୍ତଙ୍କୁ ଜଣା । ରେଳବାଇ ମନ୍ତ୍ରୀ ହରଡ ଘଣାରେ ପଡ଼ିବା ପରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି । ସେ ଜାଣି ନାହାନ୍ତି କେତେଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ଆସୁଛି । ବର୍ତ୍ତମାନ ଆହୁରି ଗୋଟେ ବଗି ଥିବା ଅଭିଯୋଗ ଉଠିଛି । ସଠିକ୍ ତଥ୍ୟ କାହା ପାଖେ ନାହିଁ । ପଶ୍ଚିମବଙ୍ଗ ସରକାର କହୁଛନ୍ତି ୩୧ ଜଣଙ୍କ ମୃତ ଦେହ ମିଳୁନି। ବିହାର ୮୮ ଜଣଙ୍କ କଥା କହୁଛି ।

Advertisment

ଅତୀତରେ ୫ ଜଣ ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ମନ୍ତ୍ରୀ କାହିଁକି ଇସ୍ତଫା ଦେବେନି ? ସିବିଆଇ କେନ୍ଦ୍ର ସରକାରଙ୍କ ପୋଷା ସୁଆ । ସେ ଯାହା କହିବେ ସିବିଆଇ ତାହା କରିବେ । ରେଳବାଇ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସୁଛି । ସେ ଇସ୍ତଫା ଦେଲେ ତଦନ୍ତ ନିରପେକ୍ଷ ହେବ । ତେବେ ଷଡ଼ଯନ୍ତ୍ର ହୋଇଛି ବୋଲି ରେଳବାଇ ଦେଇଥିବା ଏଫଆଇଆରରେ ଉଲ୍ଲେଖ ନାହିଁ । କିନ୍ତୁ ଇନଭେଷ୍ଟିଗେଶନ ସମୟରେ ଷଡ଼ଯନ୍ତ୍ର କଥା ଆସିଲେ ତଦନ୍ତ ହୋଇପାରିବ । ବର୍ତ୍ତମାନ ସମୟରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ । ରେଳବାଇ ସଂସ୍ଥା ପ୍ରଥମେ ତଦନ୍ତ କରି ରିପୋର୍ଟ ଦେବା ଆବଶ୍ୟକ । କିଛି ଷଡ଼ଯନ୍ତ୍ର ଥିଲେ ସିବିଆଇ ତଦନ୍ତ ହେଉ।