ହାଥରସ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ । ୪ ଘଣ୍ଟା ଯାଏଁ ଗାଁର ୩ଟି ସ୍ଥାନରେ ଛାନଭିନ । ପଚରାଉଚରା ପାଇଁ ପୀଡିତାଙ୍କ ଭାଇକୁ ନେଇଗଲା ସିବିଆଇ ।

239

କନକ ବ୍ୟୁରୋ : ହାଥରସ ଗଣଦୁଷ୍କର୍ମ ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ କରିଛି । ଏନେଇ ଆଜି ସିବିଆଇ ପୀଡିତାଙ୍କ ଗାଁରେ ପହଞ୍ଚି ୩ଟି ସ୍ଥାନରେ ଛାନଭିନ କରିଛି । ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ କରିଥିଲା ସିବିଆଇ । ଘଟଣାସ୍ଥଳରେ ଭିଡିଓଗ୍ରାଫି କରାଯିବା ସହ ପୀଡିତାଙ୍କ ପରିବାରକୁ ପଚରାଉଚରା କରାଯାଇଥିଲା । ଏହାସହ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନକୁ ଯାଇ ଯାଞ୍ଚ କରିଥିଲା ସିବିଆଇ ।

ହେଲେ ଏବେ ପୀଡିତାଙ୍କ ଗାଁରୁ ସିବିଆଇ ବାହାରି ସାରିଛି । ଏହାସହ ପୀଡିତାଙ୍କ ଭାଇକୁ ସିବିଆଇ ପଚରାଉଚରା ପାଇଁ ନେଇ ଯାଇଥିବା ଜଣାପଡିଛି । ତେବେ ପୀଡିତାଙ୍କ ଗାଁରୁ ସିବିଆଇ କିଛି ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି ।

ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ୟୁପିରେ ରାଜନୀତି ଦେଖିବାକୁ ମିଳିଥିଲା । ବିରୋଧୀ ଦଳ ନେତା ମାନେ ଏନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ହାଥରସ ଯାଇ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଏହାକୁ ନେଇ ସେଠାରେ ଜୋରଦାର ରାଜନୀତି ଦେଖିବାକୁ ମିଳିଥିଲା । ଏହି ଘଟଣାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।

କିଛିଦିନ ତଳେ ୟୁପିର ହାଥରସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ପରେ ନାବାଳିକାର ଜିଭ କାଟିଦେବା ସହ ମେରୁଦଣ୍ଡ ମଧ୍ୟ ଭାଙ୍ଗିଦେଇଥିଲେ ଦୁର୍ବୃତ୍ତ । ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷରେ ହସ୍ପିଟାଲରେ ଆଖିବୁଜିଥିଲା ପୀଡିତା ।