କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଏବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସଂସଦର ନୈତିକତା କମିଟି ଏନେଇ ମହୁଆଙ୍କୁ ଜେରା କରିବା ପରେ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସିବିଆଇ ଯାଂଚ କରିବାକୁ ଲୋକପାଳ ସିବିଆଇକୁ ଆଦେଶ ଦେଇଛନ୍ତି । ଏନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର (ଏକ୍ସ) ରେ ଲେଖିଛନ୍ତି ଯେ ମୋ ଅଭିଯୋଗ କ୍ରମେ ଲୋକପାଳ ଅଭିଯୁକ୍ତ ସାଂସଦ ମହୁଆ ମୋଇତ୍ରାଙ୍କ କ୍ୟାସ ଫର କ୍ୱେରୀ ମାମଲାରେ ସିବିଆଇ ଯାଂଚ ପାଇଁ ଆଦେଶ ଦେଇଛନ୍ତି ।

Advertisment

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ କି ସଂସଦରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଟଙ୍କା ନେଇ ପ୍ରଶ୍ନ ପଚାରିଛନ୍ତି । ଏନେଇ ସେ ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ଚିଠି ଲେଖିଥିଲେ ।

ସେପଟେ ମହୁଆ ମୋଇତ୍ରାଙ୍କ ପୂର୍ବତନ ପୁରୁଷ ବନ୍ଧୁ ତଥା ଓକିଲ ଜୟ ଅନନ୍ତ ଦେହାଦ୍ରଇ ମହୁଆଙ୍କ ବିରୋଧରେ ଏକ ନୂଆ ମାମଲା ଦାଖଲ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ମହୁଆ ମୋଇତ୍ରା ତାଙ୍କ ବାସଭବନରେ ପ୍ରବେଶ କରି ତାଙ୍କ କର୍ମଚାରୀଙ୍କ ଧମକ ଚମକ ଦେଉଛନ୍ତି । ଏନେଇ ସେ ହୋଜ ଖ୍ୱାସ ଥାନାରେ ଅଭିଯୋଗ କରିଛନ୍ତି ।