କନକ ବ୍ୟୁରୋ : କୋଲକାତା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶରେ ହଙ୍ଗାମା । ଘଟଣାର ତଦନ୍ତ ପାଇଁ କୋଲକାତା ଆରଜି କର ମେଡିକାଲ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ତଦନ୍ତ ଆରମ୍ଭ କରିଛି ସିବିଆଇ । ଡାକ୍ତର ଓ ଫରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋଲକାତା ପୋଲିସ୍ ଘଟଣାର ତଦନ୍ତ କରୁଥିଲା ।
ତେବେ ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ୫ ଦିନ ପରେ ମଧ୍ୟ ବିଶେଷ ଅଗ୍ରଗତି ହୋଇନାହିଁ ବୋଲି କୋର୍ଟ କହିଛନ୍ତି । ଏଭଳି ଧାରା ଜାରି ରହିଲେ, ପୀଡ଼ିତ ପରିବାରକୁ ନ୍ୟାୟ ଦେବାରେ ସମସ୍ୟା ଉପୁଜିବ । ତେଣୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ଘଟଣାକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଚି ହୋଇଛି । କଲେଜ କର୍ତ୍ତୃତପକ୍ଷ ଓ କୋଲକାତା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଘଟଣା ପରେ ପ୍ରଥମେ ପରିବାର ଲୋକଙ୍କୁ ପୀଡିତା ଆତ୍ମହତ୍ୟା କରିଥିବା କଥା କହିଥିଲେ ପୋଲିସ ଓ କଲେଜ କର୍ତ୍ତୃପକ୍ଷ । ଝିଅକୁ ନେଇ ଭୁଲ ମନ୍ତବ୍ୟ କାହିଁକି ଦେଇଥିଲେ ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାକୁ ୫ ଦିନ ବିତି ସାରିଥିଲେ ବି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।